ଖୋର୍ଦ୍ଧା: ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କଲା ଅବକାରୀ ବିଭାଗ, ମହିଳା ଅଭିଯୁକ୍ତ ଗିରଫ

Published: Jan 10, 2022, 2:41 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜଣେ ମହିଳା ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ ଭୈରବ ସାହୁଙ୍କ ନେତୃତ୍ୱରେ ଆଜି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅଞ୍ଚଳର ସ୍ଵର୍ଣ୍ଣଲତା ବେହେରା (୪୦)। ତାଙ୍କ ନିକଟରୁ ଅବକାରୀ ବିଭାଗ ୨୧ ଗ୍ରାମ ବ୍ରାଉନ ସୁଗାର ସହ ନକଦ ୫ ହଜାର ୩୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବା ବୋଲି ଅନୁମାନ କରାଯାଉଛି।

ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବାବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଅବକାରୀ ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୭୬/୨୧-୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts