ଖୋର୍ଦ୍ଧା: ରାଜ୍ୟ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର ଚଢାଉ, ୨୭ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Published: Jan 25, 2022, 8:50 pm IST

ଖୋର୍ଦ୍ଧା: ଓଡିଶା ଅବକାରୀ କମିଶନର ଆଇପିଏସ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକସ୍ଥିତ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ଖୋର୍ଦ୍ଧା ଜିଲ୍ଲାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟି (୪୨)। ରାଜେନ୍ଦ୍ରଙ୍କ ନିକଟରୁ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ୨୭୦ ଗ୍ରାମ ବ୍ରାଉନ୍ ସୁଗାର ଯାହାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ଏବଂ ନକଦ ୧ ଲକ୍ଷ ୧୩ ହଜାର ଟଙ୍କା ଜବତ କରିଛି। ରାଜେନ୍ଦ୍ର ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପନିପରିବା ଦୋକାନରେ ବ୍ରାଉନ ସୁଗାର ବେପାର କରୁଥିଲେ। ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ସ୍ଥାନୀୟ ଅଞ୍ଚଳରେ ଛୋଟ ପାଉଚ ମାଧ୍ୟମରେ ବିକ୍ରି କରୁଥିଲେ।

ଏହି ପରିପ୍ରେକ୍ଷୀରେ, ଏନଡ଼ିପିଏସ ଆଇନ ଧାରା ୨୧ ଅନୁଯାୟୀ ପିଆର ନମ୍ବର ୨୩୭ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ଅବକାରୀ ବିଭାଗ।

ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିବାବେଳେ ଅବକାରୀ ଇନ୍ସପେକ୍ଟର ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ୱାଇଁ, ଅବକାରୀ ସବ ଇନ୍ସପେକ୍ଟର ସଚିନ ବେହେରା ଏବଂ ଅନ୍ୟ ଅବକାରୀ ଅଧିକାରୀମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ।

Related posts