ବାଣପୁରରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଜବତ

Published: Feb 9, 2022, 4:12 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲାରେ  ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ୧୨୦ ଗୋଟି ଡ୍ରମରୁ ମୋଟ ୬ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୪୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ।

କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହି ପରିପ୍ରେକ୍ଷୀରେ ପିଆର ନମ୍ବର ୧୧୩/୨୧-୨୨ ରେ ଅବକାରୀ ବିଭାଗ ଗୋଟାଏ ମାମଲା ରୁଜୁ କରିଛି।

Related posts