
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଉକ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି କହିଛନ୍ତି।
ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ଏବଂ ଖୁବ ଶୀଘ୍ର ସେମାନେ ଗିରଫ ହେବେ ବୋଲି ଏସପି କହିଛନ୍ତି।
ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ବାଣପୁର ଥାନା ପରିସରରେ ଏତଲା ଦେବାକୁ ଆସିଥିବା ତିନି ଜଣ ଅଭିଯୋଗକାରୀଙ୍କୁ ରାଜନୈତିକ ଦଳର କର୍ମୀମାନେ ମରଣାନ୍ତକ ଆକ୍ରମଣ କରୁଥିଲେ। ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତି ଏହାର ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।
ତେବେ ଜିଲ୍ଲା ପୋଲିସ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇଥିବା ବେଳେ ଏସପିଙ୍କ ତତ୍ୱାବଧାନରେ ସ୍ପେଶାଲ ଟିମ ଗଠନ କରାଯାଇ ଚଢ଼ାଉ ଜାରିରହିଛି।