ହରିଣ ଶିକାର ଅଭିଯୋଗରେ ୨ ଗିରଫ, ଶିଙ୍ଗ ଜବତ

Published: Apr 2, 2022, 2:36 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ଜନ୍ତୁ ଶିକାର ହେବା ନିତ୍ୟନୈମିତିକ ଘଟଣା। ବନବିଭାଗ ଯେତେ ଚେଷ୍ଟା କଲେ ମଧ୍ୟ ଶିକାରୀମାନେ ଏହି କାମ କରିବାକୁ ପଛାଉ ନାହାନ୍ତି। ବର୍ତ୍ତମାନ ଖରା ଦିନ। ଯେଉଁଠି ପାଣି ଅଛି ସେଇ ସ୍ଥାନକୁ ଜନ୍ତୁମାନେ ପାଣି ପିଇବା ପାଇଁ ଆସିଥାନ୍ତି। ବାଣୁଆ ପୂର୍ବରୁ ଜନ୍ତୁକୁ ମାରିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ରହିଥାଏ। ଅନାୟାସରେ ଶିକାରୀ ନିରୀହ ଜୀବକୁ ବନ୍ଧୁକରେ ମାରି ପକାଇଥାଏ। ବାଣୁଆର ଏଇ ଘୃଣ୍ୟକାମକୁ ବନବିଭାଗ ଜାଣି ପାରି ନ ଥାଏ।

ମୋଚିବାହାଳ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଚଢଉ କରି ଦୁଇଜଣ ଶିକାରୀଙ୍କ ପାଖରୁ ହରିଣ ମୁଣ୍ଡ ସହ କଂଚା ମାଂସ, କିଛି ରନ୍ଧା ମାଂସ ଜବତ କରିବାରେ ସଫଳ ହୋଇଛି। ସେମାନଙ୍କ ପାଖରୁ ପନିକି, ଟାଙ୍ଗିଆ ତଥା ଡେକଚି, କଡେଇ ଆଦି ଜବତ କରିଛି। ବନବିଭାଗ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ମୋଚିବାହାଳ ପଂଚାୟତ ଆମଦର ଗ୍ରାମର ବସୁ ଧରୁଆ ଏବଂ ରାମଚନ୍ଦ୍ର ନାଏକ।

ଏହି ଚଢାଉରେ ବଡମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାସର ସେଠୀ, ବଡମାଳ ଫରେଷ୍ଟର ଶ୍ରୀବତ୍ସ କିସାନ୍, ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ କୈଳାସ ମିଶ୍ର, ପ୍ରଶାନ୍ତ ସାହୁ ସାମିଲ୍ ହୋଇଥିଲେ। ଦିନକୁ ଦିନ ଜନ୍ତୁ ଶିକାର ହେଉ ଥିବାରୁ ଜଙ୍ଗଲରୁ ଜୀବଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହାକି ପରିବେଶ୍ ବିଦ୍ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ସାଜିଛି।

Related posts