ଛାତ୍ରୀଙ୍କୁ ଅଶାଳୀନ ଇଙ୍ଗିତ କରି ଛେଚା ଖାଇଲେ ଦୁଇ ଯୁବକ, ବାଣପୁର ଥାନାରେ ମାମଲା ରୁଜୁ

Published: Apr 8, 2022, 12:44 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଂ ସେଣ୍ଟର ଥିବାରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି। ତେବେ ବିଶେଷ କରି ରାତ୍ର ଆଠ ଘଣ୍ଟିକାରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ କୋଚିଂ ସେଣ୍ଟର ଛୁଟି ହୋଇଥାଏ। ତେବେ ଏହାର ସୁଯୋଗ ନେଇ ଦୀର୍ଘ ଦିନ ହେବ ସହରର ପ୍ରମୁଖ ସ୍ଥଳ ମା’ ଭଗବତୀଙ୍କ ପୀଠ ଠାରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଅସାମାଜିକ ଯୁବକମାନେ ଛପି ବସୁଛନ୍ତି। ସୁଯୋଗ ପାଇ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ସେମାନେ ପଛାଉନାହାନ୍ତି।

ତେବେ ଏହା ସେମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନର ଶୁଭଦୃଷ୍ଟି ଏଯାବତ ପଡୁନି। ପରିସ୍ଥିତି ଏପରି ହେଲାଣି ଯେ, ବର୍ତ୍ତମାନ ସ୍ପଷ୍ଟ ଦିବାଲୋକରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବାକୁ ଉକ୍ତ ଯୁବକମାନେ ପଛାଉନାହାନ୍ତି। ତେବେ ପ୍ରତିଦିନ ଏପରି ଘଟଣା ବାଣପୁରରେ ଘଟୁଥିବା ବେଳେ କେତେକ ଲୋକଲୋଚନକୁ ଆସିବା ଭୟରେ ଦବି ଯାଉଥିବା ବେଳେ ଆଉ କେତେକ ସାହସ କରି ପୋଲିସକୁ ଅଭିଯୋଗ କରୁଛନ୍ତି।

ଏପରି ଏକ ଲଜ୍ୟାଜନକ ଘଟଣା ଗତକାଲି ବାଣପୁର ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନିକଟରେ ଘଟିଯାଇଛି। ଜଣେ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ କମେଣ୍ଟ ମାରି ନିର୍ଧୁମ ଛେଚା ଖାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି।

ଅଭିଯୋଗ ମୁତାବକ ବାଣପୁର ଏନଏସି ଅଞ୍ଚଳର ଦୁଇ ଜଣ ଯୁବକ ଗତକାଲି ମଧ୍ୟାହ୍ନରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନିକଟରେ ନିତି ଦିନ ପରି ଛାତ୍ରୀଙ୍କୁ ହଇରାଣ ନିମନ୍ତେ ଯାଇଥିଲେ। ଉକ୍ତ ସମୟରେ ଜନୈକ ଛାତ୍ରୀଙ୍କୁ କମେଣ୍ଟ ମରିବା ସହ ଅସଦାଚରଣ କରିଥିଲେ। ଏହା ଜାଣି ସ୍ଥାନୀୟ ଅଞ୍ଚଳବାସି ଉଭୟଙ୍କୁ ନିର୍ଧୁମ ଛେଚି ବାଣପୁର ପୋଲିସ ଜିମା ଦେଇଥିଲେ।

ପୋଲିସ ଉଭୟଙ୍କ ବିରୋଧରେ କେଶ ନମ୍ବର ୧୪୯/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ବାଣପୁର ବଜାରରେ ପ୍ରତିଦିନ ଏପରି କାଣ୍ଡ ଘଟୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଏହାର ପ୍ରତିକାର ଦିଗରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Related posts