ଇଣ୍ଡିଗୋ କାର ସହ ୭୯ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍‌

Published: Apr 9, 2022, 7:03 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ଚୋରା ବେପାରିମାନେ ପୋଲିସ୍‌କୁ ଚକମା ଦେଇ ଅନାୟାସରେ ଗଞ୍ଜେଇ ବେପାର କରୁଛନ୍ତି। ପୋଲିସ୍ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲେ ମଧ୍ୟ କିଛି ମାତ୍ରାରେ ସେମାନଙ୍କୁ ଧରିବାରେ ସଫଳ ହେଉଛି। ଅତୀତରେ ବହୁ ବେପାରୀ ନାକଟିଦେଉଳ ଅଂଚଳରୁ ଧରାପଡି ଜେଲର ଚାରି କାନ୍ଥ ଭିତରେ ରହିଛନ୍ତି। ବର୍ଷ ବର୍ଷ ଧରି କେସ୍ ଚାଲିଛି।

ପୋଲିସର ମାତ୍ରାଧିକ ଚଢାଉ ହେଉଥିଲେ ମଧ୍ୟ ଗଞ୍ଜେଇ ବେପାରିମାନେ ଚୋରା କାରବାରରେ ଲିପ୍ତ ରହୁଛନ୍ତି। ଗତକାଲି ସଂଧ୍ୟାରେ ରେଢାଖୋଲରୁ ନାକଟିଦେଉଳ ଅଭିମୁଖେ ଏକ ଧଳା ଇଣ୍ଡିଗୋ କାର୍ (ଓଡି ୦୨ ଡି ୪୫୭୪) ରେ ଚୋରାରେ ଗଞ୍ଜେଇ ଅନୁଗୁଳ ଅଂଚଳକୁ ଆସୁଥିବାର ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରିଦେଇଥିଲେ। ପୋଲିସ୍ ଥିବାର ଜାଣି ପାରି ଗଞ୍ଜେଇ ବେପାରୀ ଚରଡପଶି ନିକଟରୁ ଗାଡିକୁ ପଛକୁ କରି ଶିମିଳିପାଳ ଛକରୁ କୁଡାନାଳି ରାସ୍ତା ପଟକୁ ଦୃତ ଗତିରେ ଫେରାର୍ ହୋଇଯାଇଥିଲା।

ପୋଲିସ୍ କାର୍ କୁ ପିଛା କରି ଥିଲା। ପୋଲିସ୍ ଆସୁଥିବା ଜାଣି ଜାମୁଜୋରି ପଂଚାୟତର କୁଡାନାଳି ନିକଟ କୋଇଲିପଦା ନିକଟସ୍ଥ ଜଙ୍ଗଲରେ କାରକୁ ଛାଡି ଡ୍ରାଇଭର ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ପହଂଚିଲା ବେଳକୁ ଡ୍ରାଇଭର ନ ଥିଲା।

ପୋଲିସ୍ କାରରେ ଥିବା ଏକ ବସ୍ତାରେ ୭୯ କେଜି ଗଞ୍ଜେଇ ଜବତ କରିବା ସହ କାରକୁ ନାକଟିଦେଉଳ ଥାନାକୁ ଆଣିଥିଲା। କାରର୍ ଓରିଜିନାଲ୍ ଆର୍ ସି ବହି ଏବଂ ଇନସୁରାନସ୍ ଥିବାର ଜାଣିବାକୁ ପାଇଥିଲା।

ନାକଟିଦେଉଳ ଥାନାଧିକାରୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, କାର୍ ର ମାଲିକ ଅନୁଗୋଳ ଜିଲ୍ଲାର ବୋଲି ଖବର ପାଇଛନ୍ତି ଏବଂ ଗାଡିର ମାଲିକକୁ ଥାନାକୁ ଅଣାଯିବ ଓ ଏହାର ଅନୁସନ୍ଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ନାକଟିଦେଉଳ ଥାନା କେସ୍ ନଂ ୭୦-ତା୮/୪/୨୦୨୨ ୟୁ/ଏସ୍ ୨୦(ବି) (ଆଇଆଇ)(ସି) ଏନ୍‌ଡିପିଏସ୍ ଆକ୍ଟ ରେ କେସ୍ ରୁଜୁ ହୋଇଥିବା ନାକଟିଦେଉଳ ଥାନାଧିକାରୀ ବିଭୂତି ଭୂଷଣ ଦଳାଇ ପ୍ରକାଶ କରିଛନ୍ତି।

Related posts