
ସୀତାରାମ ଅଗ୍ରୱାଲ
ବାଣପୁର: ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି। ଟଙ୍କା ଓ ବାଇକ ଲୁଟିନେଇ ଫେରାର ହୋଇଛନ୍ତି ଲୁଟେରା। ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି।
ଖବର ମୁତାବକ ଆଜି ମଧ୍ୟାହ୍ନରେ ବିଦ୍ୟୁତ ମିଟର ପଇସା କଲେକ୍ସନ ପାଇଁ ଚୁକ୍ତିନାମା କରିଥିବା ସଂସ୍ଥା ଷ୍ଟେର୍ଲିଙ୍ଗର ମିଟର ରିଡର କର୍ମଚାରୀ ପ୍ରଶାନ୍ତ ବେହେରା ଏବଂ ଟ୍ରେନିଙ୍ଗ କର୍ମଚାରୀ ରାକେଶ କୁମାର ଦାସ ଏକ ସ୍କୁଟି ଓ ଆପାଚି ବାଇକ ଯୋଗେ ଅରାଙ୍ଗ ଗ୍ରାମରୁ କଲେକ୍ସନ ପାଇଁ ଯାଇଥିଲେ। ତେବେ ଅପରାହ୍ନରେ କଲେକ୍ସନ ସାରି ଫେରୁଥିବା ବେଳେ କଦଳୀବାରି ନିକଟରେ ହଠାତ ମୁଖା ପିନ୍ଧି ତିନି ଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ଉଭୟଙ୍କ ଉପରେ ଲଙ୍କା ଗୁଣ୍ଡ ଫୋପାଡ଼ିଥିଲେ।
ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରାକେଶଙ୍କ ଉପରେ ଲଙ୍କା ଗୁଣ୍ଡ ପଡ଼ିନଥିଲା। ଏହାପରେ ଦୁର୍ବୁତ୍ତମାନେ ଉଭୟଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଧମକାଇ ପ୍ରଶାନ୍ତଙ୍କ ନିକଟରୁ କଲେକ୍ସନ ଏବଂ ବ୍ୟକ୍ତିଗତ ପଇସା ସମୁଦାୟ ୧୩ ହଜାର୨ ଶହ ଟଙ୍କା, ମୋବାଇଲ ଓ ରାକେଶଙ୍କ ଆପାଚି ବାଇକ ନେଇ ବାଣପୁର ଆଡେ ଫେରାର ହୋଇଯାଇଥିଲେ।
ତେବେ ଆକ୍ରମଣ ସମୟରେ ପ୍ରଶାନ୍ତ ନିଜ ସ୍କୁଟି ଚାବିକୁ ବୁଦା ଆଡକୁ ଫୋପାଡ଼ିଦେବାରୁ ଦୁର୍ବୁତ୍ତ ମାନେ ସ୍କୁଟି ନେଇପାରିନଥିଲେ। ବର୍ତ୍ତମାନ ଉକ୍ତ ଠିକା କମ୍ପାନୀର ଉପରିସ୍ଥ ଅଧିକାରୀ ଏବଂ ଲୁଟର ଶିକାର ହୋଇଥିବା କର୍ମଚାରୀ ବାଣପୁର ଥାନାରେ ପହଞ୍ଚି ଏତଲା ଦେଉଥିବାର ଜଣାପଡିଛି।
ତେବେ ଗତ ୨୦ ଦିନ ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏହା ବନ୍ଧୁକ ମୁନରେ ତୃତୀୟ ଲୁଟ ହୋଇଥିବା ବେଳେ ଲୁଟେରାଙ୍କୁ ପୋଲିସ ଏଯାବତ ଠାବ କରିବାରେ ବିଫଳ ହୋଇଛି। ଯଥାଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ହେଉଛି।