ଖୋର୍ଦ୍ଧା: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

Published: May 12, 2022, 8:56 pm IST

ଖୋର୍ଦ୍ଧା: ଆଜି ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଠାରେ ବ୍ରାଉନ ସୁଗାର କାରବାର ପାଇଁ ଏକ ବଡ଼ ଡ଼ିଲ ହେଉଥିବାର ଖବର ପାଇଥିଲା ଏସ ଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଏସଟିଏଫ ସଙ୍ଗେସଙ୍ଗେ ଚଢ଼ାଉ କରି ୧ କେଜି ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

ତତସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର ରଞ୍ଜନ କୁମାର ପାଟ୍ଟଶାଣି, ରାଉତପଡ଼ା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ ଏବଂ ବାଙ୍କୀ ଥାନା ହରିରାଜପୁର ଗ୍ରାମର ଅମରେନ୍ଦ୍ର ମହାପାତ୍ର।

ଅଭିଯୁକ୍ତଙ୍କ ବିରୋଧରେ ଏସଟିଏଫ ୨୧(ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧/୨୨ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

Related posts