ଟାଙ୍ଗୀ ବାଇପାସରେ ଛୁରା ମାଡ କରି ବ୍ୟବସାୟୀଙ୍କ ଠାରୁ ଲୁଟ୍: ଜଣେ ଲୁଟେରାକୁ ଧରିଲେ ଗ୍ରାମବାସୀ

Published: May 18, 2022, 1:34 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଆଜି ମଧ୍ୟ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ରେ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ କିନ୍ତୁ ଲୁଟେରାମାନେ ସଫଳ ହୋଇପାରିନାହାନ୍ତି। ଜଣେ କାଜୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ୩ ଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରୟାସ ଯୋଗୁଁ ଜଣେ ଲୁଟେରା ଧରାପଡିଛି।

ସୂଚନା ଅନୁଯାୟୀ, ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ରେ ପିକ୍ ଅପ୍ ଭ୍ୟାନ ନେଇ ଯାଉଥିବା ଚାଳକଙ୍କୁ ପଲସର ବାଇକ୍ ରେ ଆସି ୩ ଜଣ ଲୁଟେରା ଅଟକାଇଥିଲେ। ଗାଡିଟି ଅଟକିବା ପରେ ସେହି ଗାଡିରେ ଥିବା କାଜୁ ବେପାରୀଙ୍କୁ ଲୁଟେରାମାନେ ଛୁରା ମାଡ କରିଥିଲେ। ଫଳରେ କାଜୁ ବେପାରୀଜଣଙ୍କ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ଫୋନ ଲୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ।  ୩ ଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଢେଲା ପଥର ମାଡ କରିବାରୁ ଲୁଟେରାମାନେ ଗାଡିରୁ ପଡିଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଧରି ଟାଙ୍ଗୀ ପୋଲିସ୍ କୁ ଜିମା ଦେଇଥିଲେ। କିନ୍ତୁ ଜଙ୍ଗଲର ସୁଯୋଗ ନେଇ ୨ ଜଣ ଲୁଟେରା ୫୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଟାଙ୍ଗୀ ପୋଲିସ ଘଟଣା ସ୍ଥଳରୁ ଜଣେ ଲୁଟେରା ସହ ପଲସର ବାଇକ୍ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଆହତ କାଜୁ ବେପାରୀ ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

Related posts