ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଆରପିଏଫ

Published: Jun 22, 2022, 6:19 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଖଲିକୋଟ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରେ ବେଆଇନ ନିଶା ଜାତୀୟ ଦ୍ରବ୍ୟ କାରବାର ବିରୋଧରେ ଚଢ଼ାଉ କରାଯାଇଥିବା ବେଳେ ଉକ୍ତ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଜଣେ ମହିଳା ଓ ପୁରୁଷ ଦୁଇ ଗୋଟି ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଆରପିଏଫର ସନ୍ଦେହ ହେବାରୁ ସେମାନଙ୍କ ତାଲାସି ନିଆଯାଇଥିଲା।

ତାଲାସି ବେଳେ ଉଭୟ ବ୍ୟାଗରୁ ୨୭.୮୩୩ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ଯାହାର ମୂଲ୍ୟ ୨ ଲକ୍ଷ ୭୮ ହଜାର ୩୩୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭଦ୍ରକ ଜିଲ୍ଲା ନନ୍ଦିଗାଁ ଅଞ୍ଚଳର ଅନନ୍ତ ଦାସ (୪୭) ଏବଂ ସୁକାନ୍ତି ଦାସ (୩୭)। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଉଭୟ ଅଭିଯୁକ୍ତ ଏବଂ ଜବତ ଗଞ୍ଜେଇ କୁ ବାଲୁଗାଁ ଆରପିଏଫ ବ୍ରହ୍ମପୁର ଜିଆରପି କୁ ହସ୍ତାନ୍ତର କରିଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜିଆରପି ୨୦ (ଖ) ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୪୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related posts