
ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।
ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ୩୧.୦୧.୨୨ ରେ ଏକ ରାୟ ପ୍ରଦାନ କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଏସଓପି ମଧ୍ୟ ଜାରିକରିଥିଲେ।
ଏହି ପରିପ୍ରେକ୍ଷୀରେ ଏସଟିଏଫ ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସ ର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଗତକାଲି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ଛଅ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୭ କେଜି ୩୫୬ ଗ୍ରାମ ବ୍ରାଉନ ସୁଗାରକୁ ନଷ୍ଟ କରାଯାଇଥିଲା।
ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଗତ ୩ ବର୍ଷ ମଧ୍ୟରେ ଏସଟିଏଫ ଦ୍ୱାରା ଜବତ ହୋଇଥିବା ପାଖାପାଖି ୪ ହଜାର ୫୦୦ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୦୪ କେଜି ବ୍ରାଉନ ସୁଗାର ଅଦ୍ୟାବଧି ବିଭିନ୍ନ ଥାନା ଓ କୋର୍ଟର ମାଲଖାନାରେ ଠୁଳ ହୋଇ ପଡ଼ିରହିଥିବାର ଏସଟିଏଫ କହିଛି। ତେବେ ଏସବୁକୁ ଆସନ୍ତା ୩ ରୁ ୬ ମାସ ମଧ୍ୟରେ ନଷ୍ଟ କରିବା ପାଇଁ ଏସଟିଏଫ ଲକ୍ଷ୍ୟ ରଖିଛି।