ଟାଙ୍ଗୀ: ଖବର ସଂଗ୍ରହ ବେଳେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ, ଥାନାରେ ଅଭିଯୋଗ

Published: Sep 3, 2022, 10:58 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଫଟୋ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସାମ୍ବାଦିକଙ୍କୁ ଜୀବନରେ ମାରିଦେବା ଲାଗି ଧମକ ମିଳିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଟାଙ୍ଗୀ ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକ ନିକଟରେ ଥିବା ଏକ ମାଛ ଗୋଦାମରୁ ମାଛ କିଣିବା ପାଇଁ ଭୁଲ ପାର୍ଶ୍ଵରେ ବ୍ରଜ କିଶୋର ପେଣ୍ଠେଇ (୨୫) ନାମକ ଜଣେ ଯୁବକ କାର୍ ଚଳାଇ ଆସୁଥିଲେ। କିନ୍ତୁ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଫଳରେ ଗୁରୁତର ଅଵସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସେଠାରେ ଉପସ୍ଥିତ ଥିବା ତାଙ୍କ ଗ୍ରାମର ଯୁବକମାନେ।

ଏହି ସମୟରେ ବାଇକ୍ ରେ ଚଣ୍ଡେଶ୍ୱର ଯାଉଥିବା ସାମ୍ବାଦିକ ରାକେଶ ଚନ୍ଦ୍ର ମହାନ୍ତି ଘଟଣାର ଚିତ୍ର ଉତ୍ତୋଳନ କରୁଥିଲେ। ତେଣୁ କାଳେ କିଛି ଅଡୁଆରେ ପଡିବେ ମନେ କରି ଅମାନିଆ କାର୍ ଚାଳକ ବ୍ରଜ କିଶୋର ରାକେଶ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ।  ତାଙ୍କ ପକେଟ୍ ରୁ ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ନେଇଥିଲେ।  ରାକେଶଙ୍କୁ ମଧ୍ୟ୍ୟ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।

ଏହି ଘଟଣା ସଂପର୍କରେ ରାକେଶ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କୁ ଜଣାଇଥିଲେ। ଏ ନେଇ ସଂଘର ନିଷ୍ପତି କ୍ରମେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ରାକେଶ ମହାନ୍ତି। ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ଅଭିଯୋଗ ଆଧାରରେ ଛାନବିନ ଆରମ୍ଭ କରିଛନ୍ତି। ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଛନ୍ତି।

Related posts