Categories
ଆଞ୍ଚଳିକ

ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ବାମୀ: ଥାନାରେ ଅଭିଯୋଗ

ଖୋର୍ଦ୍ଧା: ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ମାଡ ଖାଇଲେ ଯୁବକ ଆଉ ମାଡ ମାରିଲେ ଖୋଦ ସରପଂଚଙ୍କ ସ୍ବାମୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶଗଡଭଙ୍ଗା ପଚାଂୟତରୁ ଏହିଭଳି ସାଙ୍ଘାତିକ ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ପଂଚାୟତରେ ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ସମ୍ପର୍କରେ ସେହି ଗ୍ରାମର ସନ୍ତୋଷ କୁମାର ବେହେରା ତଥ୍ୟ ମାଗିଥିଲେ। ତେବେ ସୂଚନା ଅଧିକାର ଆଇନରେ କାହିଁକି ତଥ୍ୟ ମାଗିଛୁ କହି ଗତକାଲି ରାତିରେ ସନ୍ତୋଷଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ମାଡ଼ ମାରିଥିବା ଆଜି ସନ୍ତୋଷଙ୍କ ବାପା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷଙ୍କ ସାର୍ଟ ଚିରି ଛାତିକୁ ଆକ୍ରମଣ କରିଥିବାରୁ ସେ ଅସୁସ୍ଥ ହୋଇ ପ୍ରଥମେ ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଆଜି ସନ୍ତୋଷଙ୍କ ଏକ୍ସରେ କରାଯାଇଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି।

ସେପଟେ କାହିଁକି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ଆକ୍ରମଣ କରାଯାଉଛି ଏବଂ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସେହି ପଂଚାୟତର ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ। ସେହିପରି ଆମ ଓଡ଼ିଶା ନବୀନ ଓଡିଶା କାମରେ ସ୍ୱଚ୍ଛତା ରହୁନଥିବା ବେଳେ ଧରା ପଡିଯିବା ଭୟରେ ଏଭଳି ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି।

ସେହିପରି ବେଗୁନିଆ ନିର୍ଚାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡିଶା କାମକୁ ଅନେକ ସ୍ଥାନରେ ଦଳୀୟ ଭିତିରେ କର୍ମୀଙ୍କୁ ଦିଆହେଉଥିବା ବେଳେ ସରପଂଚଙ୍କ ବିନା ଜାଣତରେ କାର୍ଯ୍ୟ ହେଉଥିବା ବୋଲଗଡ ବ୍ଲକ ଧଳାପଥର ସରପଂଚ ନାରାୟଣ ସାହୁ ଅଭିଯୋଗ କରିଛନ୍ତି।

ସରପଞ୍ଚ ନାରାୟଣ ସାହୁଙ୍କ କହିବା ଅନୁଯାୟୀ ପଚାଂୟତକୁ ଆମେ ଲୋକମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବେ ଭୋଟ ପାଇଁ ନିର୍ବାଚିତ ହେଲୁ, କିନ୍ତୁ ସରକାର ଅନେକ ଲୋକାଭିମୁଖୀ ଯୋଜନା କରୁଥିବା କହୁଛନ୍ତି କିନ୍ତୁ ବାସ୍ତବରେ ତାହା ଆମେ ଜାଣିପାରୁନୁ । ତାହା ଆମକୁ ଅନ୍ଧାର ରେ ରଖି କାର୍ଯ୍ୟ କରାଯାଉଛି। କେଉଁ ପ୍ରକଳ୍ପରେ କେତେ ଟଙ୍କା ବିନିଯୋଗ ହେଉଛି ତାହାର ସୂଚନା ବ୍ଲକ ଆମକୁ ଦେଉନି।

ସେହିଭଳି ଘଟଣା ସମ୍ପର୍କରେ ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ କହିଛନ୍ତି। କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ, ଯଦି କୌଣସି ଅଭିଯୋଗ ଆସେ ତେବେ ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ କହିଛନ୍ତି।

ସେହିପରି ଶଗଡ଼ଭଙ୍ଗା ପଂଚାୟତର ସନ୍ତୋଷ ବେହେରା ସୂଚନା ଆଇନରେ ମାଗିଥିବା ତଥ୍ୟ ଆମେ ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବୁ।

Categories
ଆଜିର ଖବର ରାଜ୍ୟ ଖବର

ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି।

ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା।

ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି।

ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଖବର ସଂଗ୍ରହ ବେଳେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ, ଥାନାରେ ଅଭିଯୋଗ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଫଟୋ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସାମ୍ବାଦିକଙ୍କୁ ଜୀବନରେ ମାରିଦେବା ଲାଗି ଧମକ ମିଳିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଟାଙ୍ଗୀ ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକ ନିକଟରେ ଥିବା ଏକ ମାଛ ଗୋଦାମରୁ ମାଛ କିଣିବା ପାଇଁ ଭୁଲ ପାର୍ଶ୍ଵରେ ବ୍ରଜ କିଶୋର ପେଣ୍ଠେଇ (୨୫) ନାମକ ଜଣେ ଯୁବକ କାର୍ ଚଳାଇ ଆସୁଥିଲେ। କିନ୍ତୁ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଫଳରେ ଗୁରୁତର ଅଵସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ସେଠାରେ ଉପସ୍ଥିତ ଥିବା ତାଙ୍କ ଗ୍ରାମର ଯୁବକମାନେ।

ଏହି ସମୟରେ ବାଇକ୍ ରେ ଚଣ୍ଡେଶ୍ୱର ଯାଉଥିବା ସାମ୍ବାଦିକ ରାକେଶ ଚନ୍ଦ୍ର ମହାନ୍ତି ଘଟଣାର ଚିତ୍ର ଉତ୍ତୋଳନ କରୁଥିଲେ। ତେଣୁ କାଳେ କିଛି ଅଡୁଆରେ ପଡିବେ ମନେ କରି ଅମାନିଆ କାର୍ ଚାଳକ ବ୍ରଜ କିଶୋର ରାକେଶ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ।  ତାଙ୍କ ପକେଟ୍ ରୁ ୫ ହଜାର ଟଙ୍କା ସହ ବ୍ଲୁ ଟୁଥ୍ ହେଡ୍ ଫୋନ୍ ଛଡାଇ ନେଇଥିଲେ।  ରାକେଶଙ୍କୁ ମଧ୍ୟ୍ୟ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।

ଏହି ଘଟଣା ସଂପର୍କରେ ରାକେଶ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କୁ ଜଣାଇଥିଲେ। ଏ ନେଇ ସଂଘର ନିଷ୍ପତି କ୍ରମେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ରାକେଶ ମହାନ୍ତି। ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ଅଭିଯୋଗ ଆଧାରରେ ଛାନବିନ ଆରମ୍ଭ କରିଛନ୍ତି। ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ପୋଲିସ ପାଖରେ ପହଞ୍ଚିଲା ରଣବୀର ସିଂଙ୍କ ଭାଇରାଲ ଫଟୋସୁଟ ମାମଲା, ଥାନାରେ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କର ଗୋଟିଏ ଫଟୋସୁଟକୁ ନେଇ ଆଜିକାଲି ଅନେକ ଚର୍ଚ୍ଚାକୁ ଆସିଛନ୍ତି। ସେହି ଫଟୋସୁଟରେ ରଣବୀରଙ୍କୁ ବିନା ପୋଷାକରେ ଦେଖାଯାଏ, ଯେଉଁ କାରଣରୁ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି। ରଣବୀରଙ୍କ ଫଟୋ ହେତୁ ଲୋକମାନେ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ପରିହାସ କରୁଛନ୍ତି, ଯଦିଓ ସ୍ୱାମୀଙ୍କ ଫଟୋସୁଟ ଉପରେ ଦୀପିକାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ, କିନ୍ତୁ ମଝିରେ ସେ ଏକ ସମସ୍ୟାରେ ପଡ଼ିଛନ୍ତି।

ବାସ୍ତବରେ ରଣବୀରଙ୍କ ବିରୋଧରେ ଅଭିଯୋଗ ଆସିଛି। ଏକ ନଗ୍ନ ଫଟୋସୁଟ କରିବା ପ୍ରସଙ୍ଗରେ ଭାରତୀୟ ସଂସ୍କୃତିର ଉଲ୍ଲେଖ କରି ଏକ ଏନଜିଓ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ରଣବୀର ସିଂଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ‘ଶ୍ୟାମ ମଙ୍ଗାରାମ ଫାଉଣ୍ଡେସନ ନାମକ ଏକ ଏନଜିଓ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ, ଆମେ ଗତ ୬ ବର୍ଷ ଧରି ବିଧବାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ। ଗତ ସପ୍ତାହରେ ଆମେ ରଣବୀର ସିଂଙ୍କ ଅନେକ ନଗ୍ନ ଫଟୋ ଭାଇରାଲ ହେଉଥିବା ଦେଖିଥିଲୁ। ସେହି ଚିତ୍ରଗୁଡ଼ିକ ଦେଖିବା ଦ୍ୱାରା ଯେକୌଣସି ମହିଳା ଏବଂ ପୁରୁଷ ଲଜ୍ଜିତ ଅନୁଭବ କରିବେ।

ଘଟଣାଟି କ’ଣ…

ନିକଟରେ ରଣବୀର କାଗଜ ପତ୍ରିକା ପାଇଁ ଏକ ଫଟୋସୁଟ କରିଥିଲେ, ଯାହା ସୋସିଆଲ ମିଡିଆରେ ନିଆଁ ଲାଗିଯାଇଛି। ଯଦିଓ ରଣବୀର ତାଙ୍କର ଅସାଧାରଣ ଶୈଳୀ ପାଇଁ ସର୍ବଦା ସମ୍ବାଦରେ ଥାଆନ୍ତି, କିନ୍ତୁ ରଣବୀରଙ୍କ ଏହି ଫଟୋ ଏକ ଭିନ୍ନ ବିତର୍କ ଛାଡିଦେଇଛି। ​​କାରଣ ରଣବୀର ଏହି ଫଟୋସୁଟକୁ ନଗ୍ନ କରିଥଲେ। ଅଭିନେତାଙ୍କର ସମସ୍ତ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନଗ୍ନ ଥିଲେ ଏବଂ ବିଭିନ୍ନ ପୋଜ୍ ଦେଉଥିଲେ। କେହି କେହି ଅଭିନେତାଙ୍କ ଏହି ଫଟୋସୁଟକୁ ସମର୍ଥନ କରିଥିଲେ ଏବଂ କେହି କେହି ଏହାକୁ ସମାଲୋଚନା କରିଥିଲେ। ଯଦିଓ ଅଭିନେତା କହିଛନ୍ତି ଯେ, ଏହା କେବଳ ଏକ ଫଟୋସୁଟ୍, ସେ ୧୦୦୦ ଲୋକଙ୍କ ସାମ୍ନାରେ ମଧ୍ୟ ନଗ୍ନ ହୋଇପାରନ୍ତି, ସେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍: ଥାନାରେ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଗତକାଲି ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ କକ୍ଷରୁ ଏକ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍ ହୋଇଯାଇଥିବାର ଅଭିଯୋଗ ହେଉଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ହେଲେ ମହାବିଦ୍ୟାଳୟ କକ୍ଷରୁ କିପରି ଗୁରୁତ୍ୱପୂର୍ଣ ଯନ୍ତ୍ରପାତି ଚୋରି ହେଇଛି ତାହା ମହାବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁତ୍ୱକୁ ଆଇଏସଆଇଏସ ସହ ତୁଳନା କରିଥିବାରୁ କଂଗ୍ରେସ ନେତାଙ୍କ ବିରୋଧରେ ଥାନାରେ ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ସଲମାନ ଖୁରସିଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଛି। ବୁଧବାର ତାଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ଆଜି ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଆତଙ୍କବାଦ ସହ ତୁଳନା କରି ହିନ୍ଦୁତ୍ୱଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୁରସିଦଙ୍କ ପୁସ୍ତକ ସୂର୍ଯ୍ୟୋଦୟ ଉପରେ ଅଯୋଧ୍ୟା ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ହୋଇଛି। ବିବେକ ଗର୍ଗ ନାମକ ଜଣେ ଦିଲ୍ଲୀ ଓକିଲ ଦିଲ୍ଲୀ ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରି ଏକ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁତ୍ୱକୁ ଆଇଏସଆଇଏସ ଏବଂ ବୋକୋ ହରମ ଭଳି ଆତଙ୍କବାଦୀ ସଂଗଠନ ସହିତ ତୁଳନା କରି ସଲମାନ ଖୁରସିଦ କହିଛନ୍ତି ଯେ, ହିନ୍ଦୁତ୍ୱ ସାଧୁସନ୍ଥ ଏବଂ ପ୍ରାଚୀନ ହିନ୍ଦୁ ଧର୍ମକୁ ଅଲଗା କରିଦେଇଛନ୍ତି, ଯାହାକି ଆଇଏସଆଇଏସ ଏବଂ ବୋକୋ ହରମ ଭଳି ଜିହାଦି ଇସଲାମିକ ସଂଗଠନଗୁଡ଼ିକ ଭଳି ଅଟେ । ଏହାର କାରଣ ପଚରାଯିବାରୁ ସଲମାନ କହିଛନ୍ତି, “ହିନ୍ଦୁ ଧର୍ମ ଏକ ଉଚ୍ଚ ସ୍ତରର ଧର୍ମ ଅଟେ। ଗାନ୍ଧିଜୀ ଏଥିପାଇଁ ଯାହା ଦେଇଛନ୍ତି ତାହାଠାରୁ ଅଧିକ ପ୍ରେରଣା ହୋଇପାରିବ ନାହିଁ। ଯେଉଁମାନେ ହିନ୍ଦୁତ୍ୱକୁ ନେଇ ରାଜନୀତି କରନ୍ତି ସେମାନେ ଭୁଲ୍ ଏବଂ ଆଇଏସ୍ ମଧ୍ୟ ଭୁଲ୍।”

Categories
ଆଜିର ଖବର ଜାତୀୟ ଖବର

ଅଭିନେତା ସୋନୁ ସୁଦଙ୍କ‌ ନାଁରେ ଥାନାରେ ଅଭିଯୋଗ ଆଣିଲା ବିଏମସି

ମୁମ୍ବାଇ: ବିଏମସି ପକ୍ଷରୁ ଆଉ ଜଣେ ଅଭିନେତାଙ୍କ ଉପରେ ଥାନରେ ଅଭିଯୋଗ ହୋଇଛି। କାରୋନା ସମୟରେ ପ୍ରବାସୀଙ୍କ ପାଇଁ ବାସ୍ତବ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବିଏମସି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସୋନୁ ସୁଦ ବିନା ଅନୁମତିରେ ନିଜଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ମୁମ୍ବାଇ ଜୁହୁସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି।

ସେପଟେ ଏହି ଅଭିଯୋଗରେ ସୋନୁ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରିନାହିଁ। ସେ ଏବେ ବି ଅନୁମତି ଅପେକ୍ଷାରେ ରହିଥିବା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ଝିଅ ୧୦ ବର୍ଷ ପରେ ଘରକୁ ଫେରିଲା: ଅପହରଣ କରି ନେଇଥିବା ମହିଳା ନାମରେ ଥାନାରେ ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା ଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏପରିକି ଥାନାରେ ମଧ୍ୟ ଅଭିଯୋଗ କରି ନ ଥିବା ଜଣା ପଡିଛି। ନିଖୋଜ ବାଳିକାର ପରିବାର ଲୋକେ ଝିଅ ନିଖୋଜ ସଂପର୍କରେ କାହିଁକି ଥାନାରେ ଅଭିଯୋଗ କରି ନ ଥିଲେ ତାହା ହିଁ ବଡ ପ୍ରଶ୍ନ !

ବାଳିକାଟି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଏବଂ ଆଉ ଚାରିଜଣ ଝିଅ କୁ ମଧ୍ୟ ଗୋପାଳ ତାମିଲନାଡୁରେ ରଖି କୌଣସି ଏକ ଜାଗାରେ କାମ କରାଉଥିଲେ ବୋଲି ବାଳିକା ପ୍ରକାଶ କରିଛି। ଗୋପାଳର ଘର ସୋନପୁର ଜିଲ୍ଲାରେ ବୋଲି ଜଣା ପଡିଛି। ସେ ଅସୁସ୍ଥତା କାରଣରୁ ଓଡିଶା ଫେରିଆସିଥିବା ବେଳେ ଗତ କିଛିଦିନ ତଳେ ତାର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। ବାଳିକାକୁ ଗୋପାଳର ମାଆ ନିଜ ଗାଁକୁ ଫେରିଯିବାକୁ କହିଥିଲେ ମଧ୍ୟ ତାର ସାହାସ ନ ଥିବାରୁ ଶନିବାର ଦିନ ଜନୈକ ବ୍ୟକ୍ତିଙ୍କ ସହାୟତାରେ ସେ ଓଡିଶାକୁ ଫେରି ଆସିଥିଲେ। ଏନେଇ ଗତକାଲି ସେରେଢାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଜଣାପଡିଛି। ଖାଲି ଯେ ସବିତା ଭଳି ଝିଅ ନିଖୋଜ ହୋଇଯାଉଛନ୍ତି ତା ନୁହଁ ଏମିତି ଅଗୋଚରରେ ଅନେକ ଝିଅ ରେଢାଖୋଲ ଅଂଚଳରୁ ନିଖୋଜ ହେଇଯାଉଥିବା ଶୁଣିବାକୁ ମିଳୁଛି। ଥାନାରେ ମଧ୍ୟ ନିଖୋଜ ସଂପର୍କରେ କୌଣସି ଅଭିଯୋଗ ନ ଥିବାରୁ ପୋଲିସ୍ କିଛି କରିପାରୁ ନ ଥିବା ଜଣା ପଡିଛି। ବାହର ରାଜ୍ୟକୁ ଯାଇ ବହୁ ଝିଅ ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଏପରିକି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ହେଲେ ଏସବୁର ତଥ୍ୟ ପୋଲିସ୍ ପାଖରେ ନାହିଁ। କେତେକ ସ୍ଥଳରେ ପରିବାର ଲୋକେ ମଧ୍ୟ ଝିଅକୁ ବାହାର ରାଜ୍ୟକୁ ପଠାଇ ଦେଉଛନ୍ତି ଟଙ୍କା ରୋଜଗାର ପାଇଁ।