
ସୀତାରାମ ଅଗ୍ରୱାଲ
ବାଣପୁର: ଗତକାଲି ରାତିରେ ପୋଲିସ ଓ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ବହୁ ପରିମାଣରେ ନକଲି ବିଦେଶୀ ମଦ, ଦେଶୀ ମଦ ସମେତ ଜିଂଜର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ନୀଳାଦ୍ରିପ୍ରସାଦ ଅଞ୍ଚଳର ଅମିତ ନାୟକଙ୍କ ନିକଟରୁ ୧୪.୯୪ ଲିଟର ନକଲି ବିଦେଶୀ ମଦ, ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କାଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ଓ ଗୋଟେ ବାଇକ ଏବଂ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବରଙ୍କ ନିକଟରୁ ୧୭.୧୦ ଲିଟର ଜିଂଜର ଜବତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ତିନି ଗୋଟି ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ ଏବଂ ଅନ୍ୟ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।