ଏସଟିଏଫକୁ ମିଳିଲା ବଡ଼ ସଫଳତା, ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

Published: Oct 1, 2022, 7:50 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କବଳରେ ଥିବା ବେଳେ ଦିନକୁ ଦିନ ଏଠାରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ବଡ ସଫଳତା ମିଳିଛି। କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳୀ ପଡିଆରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ଚାଲିଥିବାର ଏସଟିଏଫ ଖବର ପାଇଥିଲା। ସଙ୍ଗେସଙ୍ଗେ ଟାଉନ ଥାନା ପୋଲିସ ସହଯୋଗରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା ଏସଟିଏଫ। ଚଢ଼ାଉ ସମୟରେ ଟାଉନ ଥାନା ଅଞ୍ଚଳର ଅଭିଯୁକ୍ତ ସିଦ୍ଧାର୍ଥ ନାୟକ (୨୩) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଏକ କେଟିଏମ ବାଇକ ସହ ୧ କେଜି ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନ ସୁଗାର ମୂଲ୍ୟ ୧ କୋଟି ୧୫ ଲକ୍ଷ ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୧/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସୂଚନା ଥାଉକି ୨୦୨୦ ମସିହାରୁ ଏସଟିଏଫ ଲଗାତାର ଭାବେ ନିଶା ବେପାରୀଙ୍କ ଉପରେ ପ୍ରହାର ଜାରି ରଖିଛି। ଅଦ୍ୟାବଧି ଏସଟିଏଫ ୫୯ କେଜିରୁ ଊର୍ଦ୍ଧ୍ଵ ବ୍ରାଉନ ସୁଗାର, ୨୦୨ ଗ୍ରାମ କୋକିନ, ୧୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୬୦ ରୁ ଉର୍ଦ୍ଧ୍ଵ ନିଶା ବେପାରିଙ୍କୁ ଗିରଫ କରିଛି।

Related posts