ପୂଜା ପୁର୍ବରୁ ସଜାଗ ହେଲା ବାଲୁଗାଁ ପୋଲିସ, ୩ ଦିନରେ ୨୭ ଗିରଫ

Published: Oct 2, 2022, 5:20 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାକୁ ପଛାଇନଥାନ୍ତି।  ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ପୂଜା ଉପଲକ୍ଷେ ସଜାଗ ରହିବା ସହ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଥାନା ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଏନବିଡବ୍ଲୁ ୱାରେଣ୍ଟ, ମଦ ବେପାରି ଓ ଅପରାଧୀ ମାନେ ସାମିଲ ଥିବା ଜଣାପଡିଛି। ସେହିପରି ଭାବେ ଗତକାଲି ଖଣତ ଗ୍ରାମରୁ ୬୦ ବୋତଲ ବିଦେଶୀ ମଦ ସହ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଥିବା ବେଳେ ନାଭାଲ ଫାଣ୍ଡି ପରିସରରେ ଆଇଆଇସି ‘ଆମ ପୋଲିସ କାର୍ଯ୍ୟକ୍ରମ’ର ଆୟୋଜନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇ ନିଜର ଅଭିଯୋଗ ଆଇଆଇସି ଙ୍କୁ ଜଣାଇଥିଲେ ଏବଂ ଆଇଆଇସି ତାହାର ସମାଧାନ ମଧ୍ୟ କରିଥିଲେ।  ଅପରାଧମୁକ୍ତ ବାଲୁଗାଁ ଗଢିବାରେ ଜନସାଧାରଣଙ୍କ ସହାୟତା ଆଇଆଇସି ଲୋଡ଼ିଥିବା ବେଳେ ପୂଜା ସମୟରେ ଯଦି କେହି ଦାଦାବଟି ମାଗନ୍ତି ତେବେ ତୁରନ୍ତ ଆଇଆଇସି ଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ସେହିପରି ବାଣପୁର ପୋଲିସ ୩ ଗୋଟି ଏନବିଡବ୍ଲୁ ୱାରେଣ୍ଟ ଗିରଫ କରିଥିବାବେଳେ ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବାର ଆଇଆଇସି ଜୟ ପ୍ରକାଶ ପରିଡ଼ା କହିଛନ୍ତି।

Related posts