
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଚୋରି ଓ ଡକାୟତି ଘଟଣାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ ଗତ ଦୁଇ ଦିନ ହେଲା ବାଲୁଗାଁର ଏକ ନିର୍ଦ୍ଦିଷ୍ଟ କ୍ଲବ ଘର ପିଲାର ଭାଙ୍ଗି ତନ୍ମଧରେ ବହୁ ପରିମାଣରେ ଗଚ୍ଛିତ ଥିବା ଲୁହା ରଡ଼କୁ ପାଞ୍ଚ ଜଣ ଦୁର୍ବୁତ୍ତ ଲୁଟ କରି ନେଇଯାଇଥିଲେ। ତେବେ ସମସ୍ତ ପାଞ୍ଚ ଜଣ ଦୁର୍ବୁତ୍ତଙ୍କୁ ବାଲୁଗାଁ ପୋଲିସ ଆଜି କାବୁ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଜିନିଷ ଜବତ କରିଛି।
ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଲୁହା ବେପାରି ଥିବା ଜଣାପଡିଛି। ସେହିପରି ଭାବେ ଆଜି ସକାଳେ ବାଲୁଗାଁ ଗୋପୀନାଥପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରୁ ବାଣପୁର ଥାନା ଅଞ୍ଚଳର ଶିବ ପ୍ରସାଦ ପଣ୍ଡା ନାମକ ଅଭିଯୁକ୍ତ ମୋବାଇଲ ଫୋନ ଓ ମନି ପର୍ସ ଜୋରଜବରଦସ୍ତ ଛଡାଇ ନେଇ ଫେରାର ହୋଇଯାଇଥିଲେ।
ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ମାମଲା ରୁଜୁ କରିବା ସହ କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଉଦ୍ଧାର କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ କହିଛନ୍ତି।
ସେହିପରି ନିକଟରେ ମୋଟରଜାନ ଯାଞ୍ଚ ସମୟରେ ନୂଆଗଡ଼ ବ୍ରିଜ ନିକଟରେ ପୋଲିସକୁ ଦୁଇ ଯୁବକ ଗାଳି ଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ। ଫଳରେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଗିରଫ ଭୟରେ ଫେରାର ଥିବା ଆଇଆଇସି ଶ୍ରୀ ଦାସ କହିଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ଗିରଫ ହେବ ବୋଲି ପୋଲିସ କହିଛି।