ଟାଙ୍ଗୀ ଜାତୀୟ ରାଜପଥରେ ସିରିଜ ଲୁଟ, ଦୁଇ ଆହତ

Published: Nov 1, 2022, 2:26 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ପୁଣି ଜାତୀୟ ରାଜପଥରେ ମାତିଲେ ଲୁଟେରା। ଦୁଇ ବାଇକ ଆରୋହୀଙ୍କ ଠାରୁ ଲୁଟିଲେ ଲୁଟେରା, ଫଳରେ ଗାଡିରୁ ପଡି ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି। ମହିଳାଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ, ଟଙ୍କା ସହ ମୋବାଇଲ ଫୋନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଟାଙ୍ଗୀ ଥାନା ହାଟ ବରଡି ଗ୍ରାମର ଅନୁସୁୟା ଦେଇ ସେହି ଗ୍ରାମରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଝିଅ ଦେହ ଖରାପ ଥିବାରୁ ସ୍ୱାମୀଙ୍କ ସହ ଏକ ବାଇକ୍ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଝିଅର ଚିକିତ୍ସା ପାଇଁ ଆସିଥିଲେ। ଟାଙ୍ଗୀ ମେଡିକାଲରୁ କାମ ସାରି ବାଇକ୍ ରେ ଘରକୁ ଫେରୁଥିବା ବେଳେ ଚଣ୍ଡେଶ୍ୱର ନିକଟରେ କେତେକ ଦୂର୍ବୁତ୍ତ ତାଙ୍କ ବାଇକକୁ ଅନୁସରଣ କରିଥିଲେ। ରାତିରେ ନିଛାଟିଆ ଦେଖି ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ ଛଡାଇ ନେଇଥିଲେ। ଲୁଟେରାମାନେ ଭ୍ୟାନିଟିରେ ଥିବା ନଗଦ ୫୦୦୦ ଟଙ୍କା, ମୋବାଇଲ୍, ଏଟିଏମ୍ କାର୍ଡ ଲୁଟିନେଇଥିଲେ। ଯାହାପରେରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଘୋଷାରି ହୋଇ ଯାଇଥିଲେ। ଫଳରେ ଶିକ୍ଷୟତ୍ରୀଙ୍କ ସହ ସମସ୍ତେ ଛିଟିକି ପଡିଥିଲେ। ବାପ ଝିଅ ଅଳ୍ପକେ ରକ୍ଷା ପାଇ ଯାଇଥିବା ବେଳେ ଶିକ୍ଷୟତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଏ ନେଇ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ସେହିପରି ଭାବେ ଏହି ଲୁଟ୍ ର କିଛି ସମୟ ବ୍ୟବଧାନରେ ଠିକ୍ ସେହି ସ୍ଥାନ ଠାରୁ ଅଳ୍ପ ଦୂରରେ ସ୍କୁଟି ଯୋଗେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ଜଣେ ଦମ୍ପତିଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦଂପତିଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ ସହ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ ହୋଇଛି। ଦଂପତି ଦ୍ୱୟ ସ୍କୁଟିରୁ ପଡି ଆହତ ହୋଇଛନ୍ତି। ତେବେ ଅଦ୍ୟାବଧି ଥାନାରେ ଏ ନେଇ ଅଭିଯୋଗ ହୋଇନଥିବା ଜଣାପଡିଛି।

Related posts