Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଜାତୀୟ ରାଜପଥରେ ସିରିଜ ଲୁଟ, ଦୁଇ ଆହତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନର ନୀରବତା ପରେ ପୁଣି ଜାତୀୟ ରାଜପଥରେ ମାତିଲେ ଲୁଟେରା। ଦୁଇ ବାଇକ ଆରୋହୀଙ୍କ ଠାରୁ ଲୁଟିଲେ ଲୁଟେରା, ଫଳରେ ଗାଡିରୁ ପଡି ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି। ମହିଳାଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ, ଟଙ୍କା ସହ ମୋବାଇଲ ଫୋନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଟାଙ୍ଗୀ ଥାନା ହାଟ ବରଡି ଗ୍ରାମର ଅନୁସୁୟା ଦେଇ ସେହି ଗ୍ରାମରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ଝିଅ ଦେହ ଖରାପ ଥିବାରୁ ସ୍ୱାମୀଙ୍କ ସହ ଏକ ବାଇକ୍ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଝିଅର ଚିକିତ୍ସା ପାଇଁ ଆସିଥିଲେ। ଟାଙ୍ଗୀ ମେଡିକାଲରୁ କାମ ସାରି ବାଇକ୍ ରେ ଘରକୁ ଫେରୁଥିବା ବେଳେ ଚଣ୍ଡେଶ୍ୱର ନିକଟରେ କେତେକ ଦୂର୍ବୁତ୍ତ ତାଙ୍କ ବାଇକକୁ ଅନୁସରଣ କରିଥିଲେ। ରାତିରେ ନିଛାଟିଆ ଦେଖି ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ ଛଡାଇ ନେଇଥିଲେ। ଲୁଟେରାମାନେ ଭ୍ୟାନିଟିରେ ଥିବା ନଗଦ ୫୦୦୦ ଟଙ୍କା, ମୋବାଇଲ୍, ଏଟିଏମ୍ କାର୍ଡ ଲୁଟିନେଇଥିଲେ। ଯାହାପରେରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଘୋଷାରି ହୋଇ ଯାଇଥିଲେ। ଫଳରେ ଶିକ୍ଷୟତ୍ରୀଙ୍କ ସହ ସମସ୍ତେ ଛିଟିକି ପଡିଥିଲେ। ବାପ ଝିଅ ଅଳ୍ପକେ ରକ୍ଷା ପାଇ ଯାଇଥିବା ବେଳେ ଶିକ୍ଷୟତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଏ ନେଇ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ସେହିପରି ଭାବେ ଏହି ଲୁଟ୍ ର କିଛି ସମୟ ବ୍ୟବଧାନରେ ଠିକ୍ ସେହି ସ୍ଥାନ ଠାରୁ ଅଳ୍ପ ଦୂରରେ ସ୍କୁଟି ଯୋଗେ ଟାଙ୍ଗୀରୁ ବାଲୁଗାଁ ଯାଉଥିବା ଜଣେ ଦମ୍ପତିଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦଂପତିଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ ସହ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ ହୋଇଛି। ଦଂପତି ଦ୍ୱୟ ସ୍କୁଟିରୁ ପଡି ଆହତ ହୋଇଛନ୍ତି। ତେବେ ଅଦ୍ୟାବଧି ଥାନାରେ ଏ ନେଇ ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଆଜି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ମାସ ୧୭ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳର ଛବି ପ୍ରଧାନ ଏକ ପିକଅପ ଗାଡ଼ିରେ ଫୋଟୋ ଏବଂ ଗିଫ୍ଟ ଜିନିଷ ନେଇ ପୁରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ନିରାକାରପୁର ଥାନା ଅନ୍ତର୍ଗତ ରଟାମାଟି ଛକରେ ହଠାତ ୭ ଜଣ ଦୁର୍ବୁତ୍ତ ଛବିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ। ଏବଂ ତାଙ୍କଠାରୁ ମୋବଇଲ ଓ ପିକଅପ ଭ୍ୟାନ ଲୁଟିନେଇଥିଲେ। ଏ ସଂକ୍ରାନ୍ତରେ ନିରାକାରପୁର ଥାନାରେ କେଶ ନମ୍ବର ୫୩/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ସେହିପରି ଭାବେ ଗତ ମାସ ୨୩ ତାରିଖ ରାତିରେ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡ଼ା ଛକରୁ ସଂଯୁକ୍ତା ମାଝୀଙ୍କ କ୍ରସର ପରିସରରୁ ଏକ ନାଲି ରଙ୍ଗର ବୋଲେରୋ ଗାଡ଼ିକୁ ୬ ଜଣ ଦୁର୍ବୁତ୍ତ ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା। ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ସେହିପରି ଭାବେ ଗତମାସ ୨୫ ଏବଂ ୨୬ ତାରିଖ ରାତିରେ ବେଗୁନିଆ ଥାନା ଅଞ୍ଚଳର ତିନି ଜଣ ଅଭିଯୋଗକାରୀଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ୧୪ ଗୋଟି ଛେଳି, ୧୦ ଗୋଟି ମେଣ୍ଢା ଓ ଗୋଟେ ମୋବାଇଲ ଫୋନ ଲୁଟ କରିଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ କେଶ ନମ୍ବର ୭୭, ୭୮ ଓ ୭୯ ରେ ତିନି ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା।

ଗତମାସ ୨୯ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଏମ ସତ୍ୟନାରାୟଣ ନାମକ ଜଣେ ଅଭିଯୋଗକାରି ଏକ ପିକ ଅପ ଭ୍ୟାନରେ ୩ ଟନ ଉଚ୍ଚ କ୍ଷମତା ସମ୍ପନ୍ନ ତାର ନେଇ ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଓସିସି ଛକରେ ନାଲି ରଙ୍ଗ ବୋଲେରୋ ଗାଡ଼ିରେ ୭ ଜଣ ଦୁର୍ବୁତ୍ତ ସତ୍ୟଙ୍କୁ ଅଟକାଇ ଖଣ୍ଡା ଦେଖାଇ ତାଙ୍କ ତାର ବୋଝେଇ ପିକଅପ ଭ୍ୟାନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ କେଶ ନମ୍ବର ୫୦/୨୨ ରେ ମାମଲା ରୁଜୁ କରାଯାଇଥିଲା।

ତେବେ ମାତ୍ର ୧୨ ଦିନ ବ୍ୟବଧାନରେ ସମାନ ଧରଣର ଏକାଧିକ ଲୁଟ ଖୋର୍ଦ୍ଧା ଜିଲ୍ଲା ପୋଲିସର ନିଦ ହଜାଇଦେଇଥିଲା। ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାର୍ଡ ସମେତ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ଗଠିତ ହୋଇଥିଲା। ଉକ୍ତ ଟିମ ଜିଲ୍ଲାର ଏକାଧିକ ଅଞ୍ଚଳରେ ଚଢ଼ାଉ ଜାରିରଖିଥିବା ବେଳେ ଆଜି ସମସ୍ତ ଲୁଟ ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଜିଲ୍ଲା ପୋଲିସ ଉକ୍ତ ଲୁଟରେ ସମୁଦାୟ ୫ ଜଣ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳର ଅମଜାଦ ଖାନ, ଶେଖ ଜୁମା, ମୋହମଦ ଅଖତାର, ବେଗୁନିଆ ଥାନା ଗଡ଼ମାଣିତ୍ରି ଅଞ୍ଚଳର ପୁରୁଷୋତ୍ତମ ବାରିକ ଏବଂ ଜଣେ ନାବାଳକ। ତେବେ ଗିରଫ ଅମଜାଦ ଖାନଙ୍କ ବିରୋଧରେ ଏକାଧିକ ଥାନାରେ ପୂର୍ବରୁ ୧୫ ଗୋଟି ମାମଲା ଥିବା ବେଳେ ଶେଖ ଜୁମାଙ୍କ ବିରୋଧରେ ୭ ଗୋଟି ମାମଲା ରହିଥିବାର ପୋଲିସ କହିଛି।

ଉକ୍ତ ଚଢ଼ାଉରେ ପୋଲିସ ପାଖାପାଖି ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଜିନିଷ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ସଦର ଆଇଆଇସି ଅନିତା ସାହୁ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ବେଗୁନିଆ ଆଇଆଇସି ଲକ୍ଷ୍ମୀନାରାୟଣ ଶତପଥୀ, ଏସଆଇ ରଶ୍ମିରଞ୍ଜନ ଦାସ, ଏସଆଇ ପିଏମ ପ୍ରଧାନ, ଏଏସଆଇ ତପନ ପ୍ରଧାନ, ଏଏସଆଇ ରାମ ଚନ୍ଦ୍ର ମିଶ୍ର, ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।