ଶିକାରୀଙ୍କ ଗୁଳିମାଡରେ ଅଳ୍ପକେ ରକ୍ଷା ପାଇଲେ ଫରେଷ୍ଟ ଗାର୍ଡ

Published: Nov 10, 2022, 6:55 pm IST

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ଶିକାରୀମାନଙ୍କ ଉପ୍ତାତରେ ବନବିଭାଗ ନାକେଦମ୍ ହୋଇପଡୁଛି। ଏପରିକି ବନବିଭାଗ କର୍ମଚାରୀମାନଙ୍କୁ ଧମକ ଦେଉଥିବା ନଜିର ରହିଛି। ହେଲେ ଏଥର ସିଧା ସଳଖ ଗୁଳି କରି ମାରି ଦେବାକୁ ଶିକାରୀମାନେ ଆଗଭର ହୋଇଛନ୍ତି। ରେଢାଖୋଲ ବନଖଣ୍ଡ ମୋଚିବାହାଳ ଅଂଚଳରେ ଶିକାରୀମାନଙ୍କୁ ଧରିବାକୁ ଯାଇ ସେଠାକାର ଫରେଷ୍ଟ ଗାର୍ଡ ଶିକାରୀମାନଙ୍କ ଗୁଳିରୁ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ବନ୍ଧୁକ ଧାରୀ ଶିକାରୀକୁ ଧରିବାରେ ବନବିଭାଗ ସଫଳ ହୋଇଛି। ଜଣେ ଶିକାରୀ ଫେରାର୍ ହୋଇଯାଇଥିବା ଜଣାପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ବଡମାଳ ବନାଂଚଳ ଅନ୍ତର୍ଗତ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଶିକାରୀମାନେ ଜନ୍ତୁ ଶିକାର ପାଇଁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ ୧ ଟାରେ ଜଙ୍ଗଲକୁ ଶିକାରୀମାନଙ୍କୁ ଧରିବାକୁ ଯାଇଥିଲେ। ଏହି ଶିକାରୀମାନେ ବନବିଭାଗ କର୍ମଚାରୀମାନଙ୍କୁ ଦେଖିବା ମାତ୍ରକେ ଗୁଳିଚାଳନା କରିଥିଲେ। ସୌଭାଗ୍ୟକୁ ବନ୍ଧୁକ ର ଗୁଳି ଫରେଷ୍ଟ ଗାର୍ଡ କୈଳାସ ମିଶ୍ରଙ୍କ ଦେହ ରେ ନ ବାଜି ଲକ୍ଷ୍ୟଚ୍ୟୁତ ହୋଇଯାଇଥିଲା। ଏକ ବଡ ଧରଣର ଦୁର୍ଘଟଣାରୁ ଫରେଷ୍ଟ ଗାର୍ଡ ବର୍ତି ଯାଇଥିଲେ।

ଅଭିଯୁକ୍ତ ଯୁଯୁମୁରା ଥାନା ବଡପାଳର ସୁରେଶ ପ୍ରଧାନକୁ ବନବିଭାଗ ଧରିବାରେ ସଫଳ ହୋଇଥିଲା। ତା ଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନବିଭାଗ। ମୋଚବିବାହାଳ ଗ୍ରାମର ରମେଶ ପ୍ରଧାନ ଫେରାର୍ ହୋଇଯାଇଥିବା ବନବିଭାଗ ପ୍ରକାଶ କରିଛି। ସୁରେଶ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଏହି ଟିମ୍ ରେ ଫରେଷ୍ଟର ସୁନୀଲ ମିର୍ଦ୍ଧା , ଫରେଷ୍ଟ ଗାର୍ଡ କୈଳାସ ମିଶ୍ରଙ୍କ ସହ ବନ ବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ।

Related posts