ଖୋର୍ଦ୍ଧା: ମାଟି ତଳୁ ଅଜଣା ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Published: Nov 17, 2022, 6:58 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଡ଼ୁମ୍ ଗ୍ରାମ ନିକଟ ବେଙ୍ଗିଟାଙ୍ଗୀର ଏକ ଆମ୍ବତୋଟାରୁ ଏକ ଅଜଣା ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ୍। ଶବଟି ଜଣେ ଯୁବକଙ୍କ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ କିଛି ସ୍ଥାନୀୟ ବ୍ୟକ୍ତି ବେଙ୍ଗିଟାଙ୍ଗୀର ଲେଙ୍କାତୋଟା ଜଙ୍ଗଲର ଏକ ସ୍ଥାନରେ ମାଟି ଘୋଡ଼ା ଯାଇଥବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଉକ୍ତ ସ୍ଥାନରୁ ମାଟି ଆଡେଇବାରୁ ତନ୍ମଧ୍ୟରୁ ମନୁଷ୍ୟର ଏକ ପାପୁଲି ବାହାରିଥିବା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ଏ ନେଇ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳ ସିଜ କରିଥିବା ବେଳେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ତହସିଲଦାର, ଏସପି ଏବଂ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବାରୁ ଉକ୍ତ ସ୍ଥାନରେ ଜଣେ ଅଜଣା ଯୁବକଙ୍କ ଗଳିତ ମୃତ ଦେହ ପୋତାଯାଇଥିବାର ଜାଣିବାକୁ ପାଇଥିଲେ।

ତେବେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ଉକ୍ତ ସ୍ଥାନରୁ ଶବକୁ ନଷ୍ଟ କରିବା ନିମନ୍ତେ ବ୍ୟବହୃତ ହେଉଥିବା ବହୁ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ଆସାମୀକୁ ଧରିବା ପାଇଁ ଜିଲ୍ଲା ପୋଲି ର ଦକ୍ଷ ଅଧିକାରୀଙ୍କୁ ନେଇ ଚାରି ଗୋଟି ଟିମ ଗଠନ କରାଯାଇଥିବାର ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

Related posts