ଖୋର୍ଦ୍ଧା: ସଦର ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ବେପାରି ଗିରଫ

Published: Dec 10, 2022, 7:20 pm IST

ଖୋର୍ଦ୍ଧା: ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି। ସୂଚନା ମୁତାବକ ସଦର ଥାନା କୁରାଢ଼ମଲ ଅଞ୍ଚଳ ବାଉତି ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏସଆଇ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତ ପ୍ରଦୀପ୍ତ ବଳିୟାରସିଂହ (୩୪) ଓରଫ ଫକୀର ଗିରଫ ହୋଇଥିବା ବେଳେ ସହଯୋଗୀ ବକୁନା ଫେରାର ହୋଇଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୧.୫୭ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା), ଦୁଇ ଗୋଟି ବାଇକ, ଗୋଟିଏ ମୋବାଇଲ ଏବଂ ନକଦ ୬ ହଜାର ୫୦ ଟଙ୍କା ଜବତ କରିଥିବା ବେଳେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯୧/୨୨ ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Related posts