ଗ୍ରାହକ ବେଶରେ ନିଶା ବେପାରିଙ୍କୁ ମାଡି ବସିଲା ଟାଙ୍ଗୀ ଅବକାରୀ: ୬ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଧଳା ଜହର ଜବତ

Published: Dec 11, 2022, 4:32 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ଆଜି ଚଢାଉ କରି ଜବତ କରିଛି ୬ ଲକ୍ଷରୁ ଊର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର। ସୂଚନା ମୁତାବକ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ପୁର୍ବରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଓ ଟିମ ଗ୍ରାହକ ବେଶରେ ଉକ୍ତ ସ୍ଥାନକୁ ଯାଇ ଡ଼ିଲ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ଜଣକ ହେଉଛନ୍ତି ସଞ୍ଜୟ ଜୟସିଂହ (୪୩)। ତାଙ୍କ ନିକଟରୁ ଏକ ସ୍କୁଟି ସମେତ ୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୨୦ ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୧/୨୨-୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।

Related posts