Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଅଞ୍ଚଳରେ ବଡ ଧରଣର ଡକାୟତ ଯୋଜନା ପଣ୍ଡ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ କିଛି ଦିନ ହେବ କ୍ରମାଗତ ଭାବେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଯାଇଛି। ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏସପି ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଓ ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ତେବେ ଉକ୍ତ ଚଢ଼ାଉରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଥାନା ପରିସରରେ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ନୂଆଗଡ ଅଞ୍ଚଳର ମାନସ ପଲେଇ (୨୮) ଓରଫ ଚାନ୍ଦୁ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୦) ଓ ଶିବରାମ ନାହାକ(୨୬) ଓରଫ ମୁନା, ବାଣପୁର ଥାନା ଅଞ୍ଚଳର ଆଦିତ୍ୟ ପ୍ରସାଦ ସୁବୁଦ୍ଧି (୨୦) ଓରଫ ଆଦି ଓ ସନ୍ତୋଷ ବସ୍ତି (୨୨) ଏବଂ ନିରାକାରପୁର ଥାନା ଅଞ୍ଚଳର ଶେଖ ଅରବାଜ (୨୦) ଓରଫ ନଟୁ। ସେମାନଙ୍କ ନିକଟରୁ ଗୋଟାଏ ଚାଇନା ପିସ୍ତଲ, ଦୁଇ ଗୋଟି ଖଣ୍ଡା, ଦୁଇ ଗୋଟି ବାଇକ, ବିଅର ବୋତଲ, ଚିଲି ପାଉଡର ଏବଂ ରୁମାଲ ଜବତ କରିଛି ପୋଲିସ।

ଏସପି ଙ୍କ ସୂଚନା ମୁତାବକ ଅଭିଯୁକ୍ତ ମାନସ ଜଣେ ପେସାଦାର ନିଶା ବେପାରି ଥିବା ବେଳେ ନିକଟରେ ଖୋର୍ଦ୍ଧା ପୋଲିସର ବାରମ୍ବାର ଚଢ଼ାଉ ଫଳରେ ମାନସ ନିଶା ବେପାର ଛାଡି ଚୋରି, ଡକାୟତି, ଛୀନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ବାଣପୁର, ବାଲୁଗାଁ ଓ ଖଲିକୋଟ ଅଞ୍ଚଳରେ କରିବା ପାଇଁ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ଏପରିକି କିଛି ଦିନ ହେବ ଏହି ଗ୍ୟାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଉଥିଲେ।

ତେବେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ତ୍ବାବଧାନରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତେବେ ଗତ କାଲି ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନସ ପଲେଇ ଓ ଗ୍ୟାଙ୍ଗ ଶାଳିଆ ଡ୍ୟାମ ନିକଟସ୍ଥ ଏକ ଘରେ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବାର ଖବର ପାଇଥିଲା ପୋଲିସ। ରାତି ୨.୩୦ ରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସର ଟିମ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ଘରକୁ ଘେରାଉ କରିଥିଲେ। ଏହାଦେଖି ଅଭିଯୁକ୍ତ ମାନେ ପୋଲିସ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇନଥିଲେ। କିନ୍ତୁ ପୋଲିସ ପରିଶେଷରେ ଉକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଏସପି କହିଛନ୍ତି। ଆଜିର ପ୍ରେସ ମିଟରେ ଏସପି ଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଆଦି ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ନିଶା ବେପାରି ଗିରଫ, ୫ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନୂଆ ବାଟମଙ୍ଗଳା ରୋଡ଼ରୁ ଜଣେ ନିଶା ବେପାରିଙ୍କୁ ଗତକାଲି ଗିରଫ କରିଛି ଜିଲ୍ଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଟାଉନ ଥାନା ଅଞ୍ଚଳର ପ୍ରଦୀପ ପାଲଟାସିଂହ(୨୦)।

ତାଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ମୂଲ୍ୟ ୫ ଲକ୍ଷ ୨୦ ହଜାର ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ସବଇନ୍ସପେକ୍ଟର ବି. ମନୋଜ କୁମାର ଏବଂ ଟିମ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ନିଶା ବେପାରି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଦୁଇ ନିଶା ବେପାରିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମା’ ବୁଢ଼ୀ ବାଘେଇ ଠାକୁରାଣୀ ମନ୍ଦିର ପରିସରରେ ଉକ୍ତ ନିଶା କାରବାର ଚାଲିଥିବା ଖବର ପୋଲିସ ପାଇଥିଲା। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଓ ଟାଙ୍ଗୀ ଆଇଆଇସିଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୧୮.୬୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ବାଇକ, ଗୋଟେ ମୋବାଇଲ ଫୋନ ଏବଂ ନକଦ ୬୧ ହଜାର ୫୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଅନୁରୂପ ଭାବେ ଉକ୍ତ ଚଢ଼ାଉରେ ଦୁଇ ନିଶା ବେପାରି ଶେଖ ଅସପାକ ଏବଂ କୁନା ବେହେରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ରାହକ ବେଶରେ ନିଶା ବେପାରିଙ୍କୁ ମାଡି ବସିଲା ଟାଙ୍ଗୀ ଅବକାରୀ: ୬ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଧଳା ଜହର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ଆଜି ଚଢାଉ କରି ଜବତ କରିଛି ୬ ଲକ୍ଷରୁ ଊର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର। ସୂଚନା ମୁତାବକ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ପୁର୍ବରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଓ ଟିମ ଗ୍ରାହକ ବେଶରେ ଉକ୍ତ ସ୍ଥାନକୁ ଯାଇ ଡ଼ିଲ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ଜଣକ ହେଉଛନ୍ତି ସଞ୍ଜୟ ଜୟସିଂହ (୪୩)। ତାଙ୍କ ନିକଟରୁ ଏକ ସ୍କୁଟି ସମେତ ୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୨୦ ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୧/୨୨-୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।