ଟାଙ୍ଗୀରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ନିଶା ବେପାରି ଗିରଫ

Published: Mar 28, 2023, 11:03 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଦୁଇ ନିଶା ବେପାରିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ମା’ ବୁଢ଼ୀ ବାଘେଇ ଠାକୁରାଣୀ ମନ୍ଦିର ପରିସରରେ ଉକ୍ତ ନିଶା କାରବାର ଚାଲିଥିବା ଖବର ପୋଲିସ ପାଇଥିଲା। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଓ ଟାଙ୍ଗୀ ଆଇଆଇସିଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୧୮.୬୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ବାଇକ, ଗୋଟେ ମୋବାଇଲ ଫୋନ ଏବଂ ନକଦ ୬୧ ହଜାର ୫୫୦ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଅନୁରୂପ ଭାବେ ଉକ୍ତ ଚଢ଼ାଉରେ ଦୁଇ ନିଶା ବେପାରି ଶେଖ ଅସପାକ ଏବଂ କୁନା ବେହେରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Related posts