
ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନ ସୁଗାର କାରବାର ଥମିବାରେ ନାମ ନେଉ ନାହିଁ। ଅସାମାଜିକ ବ୍ୟକ୍ତିମାନେ ବାରମ୍ବାର ପୋଲିସକୁ ଚକମା ଦେଇ ବ୍ରାଉନ ସୁଗାର କାରବାର କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ପୋଲିସ ତାଙ୍କ ଉପରେ କଡା ନଜର ରଖିଛି।
ଆଜି ମଧ୍ୟ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି। ଏହି କାରବାରରେ ଲିପ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବୋଲେରୋ ଗାଡ଼ି ସହ ୪୦୦ ଗ୍ରାମ ବ୍ରାଉନସୁଗାର ଓ ନକଦ ୨୬ ହଜାର ୨୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ମାମଲାରେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଗଣେଶ୍ୱର ବେହେରା ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି।
ତେବେ ଜବତ ହୋଇଥିବା ବ୍ରାଉନ ସୁଗାର ବିହାରରୁ ଖୋର୍ଦ୍ଧା ଆସୁଥିବାର କୌଣସି ସୂତ୍ରରୁ ଖବରପାଇ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍ଡିପିଓ, ଟାଉନ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଡ଼ହଳଦିଆ ନିକଟରେ ଚଢ଼ାଉ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ୪୦୦ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା।