ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ବଡ଼ ସଫଳତା, ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

Published: Feb 8, 2023, 2:45 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ତୋଟାପଡା ଛକ ନିକଟରେ ଚଢ଼ାଉ କରି ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ଏକ ଯାତ୍ରୀବାହି ଅଟୋରେ ବିପୁଳ ପରିମାଣର ବ୍ରାଉନ ସୁଗାର ଚାଲାଣ ହେବା ନେଇ ପୋଲିସ ଖବର ପାଇଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଦିଲ୍ଲୀପ ଦାସ ଏବଂ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।

ତେବେ ପୂର୍ବାହ୍ନରେ ତୋଟାପଡ଼ା ଛକ ନିକଟରୁ ଉକ୍ତ ଅଟୋକୁ ପୋଲିସ ଠାବ କରିଥିଲା। ଅଟୋ ମଧ୍ୟରୁ ୫୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ପୋଲିସ ଯାହାର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ।

ଉକ୍ତ ଘଟଣାରେ ଜଣେ ମହିଳାଙ୍କ ସମେତ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅଞ୍ଚଳର ସୁଷମା ମଲ୍ଲିକ(୩୬), ଶିବ ମଲ୍ଲିକ(୪୨), ଜୟପ୍ରକାଶ ମଲ୍ଲିକ(୨୧) ଏବଂ ରଣପୁର ଥାନା ଅଞ୍ଚଳର ପ୍ରତାପ କୁମାର ମହାପାତ୍ର(୩୩)।

ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏନଡ଼ିପିଏସ ଆଇନ ଧାରା ୨୧(ଗ)/୨୯ ଅନୁଯାୟୀ କେସ ନମ୍ବର ୮୬ /୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।

Related posts