
ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ୧୪ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୪ କେଜି ବ୍ରାଉନ ସୁଗାର ଏବଂ ଚାରି ଗୋଟି ମାମଲାରେ ଜବତ ହୋଇଥିବା ୫୦୪ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।
ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୦ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୨ କୁଇଣ୍ଟାଲ ୭୯ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି। ଅନୁରୂପ ଭାବେ ଆଜି ସୁଦ୍ଧା ଓଡିଶା ପୋଲିସ ୬୦ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୧୪୫୦ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କରିଛି।