ଜମି ଦେବା ନାଁରେ ଠକେଇ, ଦୁଇ ଭାଇ ଗିରଫ

Published: May 10, 2023, 12:38 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ସିଦ୍ଧାର୍ଥ ନଗରରେ ରହୁଥିବା ଦୁଇ ଭାଇ ସଲିଳ ମିଶ୍ର ଓ ଶରତ ମିଶ୍ର ଗତ ୨୦୧୦ ମସିହାରେ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରର ଦୁଇ ଭାଇ ଡଃ ଦିଲିପ ମିଶ୍ର ଓ ଅଶୋକ କୁମାର ମିଶ୍ରଙ୍କ ଠାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ମୌଜାର ୬ ଟି ପ୍ଲଟ୍ ଜମି କିଣିଥିଲେ। କିନ୍ତୁ ଦୁଇ ଭାଇ ବାହାରେ ରହୁଥିବାରୁ ଏହା ମଧ୍ୟରେ ଜମି ବିଷୟରେ ଧ୍ୟାନ ଦେଇନଥିଲେ। ଏହି କିଛି ଦିନ ତଳେ ଦୁଇ ଭାଇ ଛୁଟିରେ ଆସି ଉକ୍ତ ଜମିରେ ପାଚେରୀ ନିର୍ମାଣ ପାଇଁ ଜମି ନିକଟରେ ପହଞ୍ଚିଲେ ଏବଂ କାମ ଆରମ୍ଭ କରିବାକୁ ଉଦ୍ୟମ କରିବା ବେଳକୁ କିଛି ଲୋକ ଆସି ବିରୋଧ କରି ନିଜର ଜମି ବୋଲି ଦାବି କରିଥିଲେ।

ଏହି ସମୟରେ ଦୁଇ ଭାଇ ସଲିଳ ଓ ଅଶୋକ ଅବାକ୍ ହେଇଗଲେ ଓ ସେଠାରୁ ଫେରି ଜମିର କାଗଜ ପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ସେମାନେ କ୍ରୟ ଲାଭ କରିଥିବା ଜମିରୁ ୩ ଟି ପ୍ଲଟ୍ ଅନ୍ୟ ଲୋକଙ୍କ ନାମରେ ବାହାରୁଛି। ଏହି ବିଷୟରେ ଜମି ବିକ୍ରି କରିଥିବା ଦୁଇ ଭାଇ ଦିଲିପ ଓ ଅଶୋକଙ୍କ ନିକଟରେ ଜଣାଇବାରୁ ସେମାନେ ଠକେଇ ବିଷୟରେ ଶୀକାର କରିବା ସହ ଉକ୍ତ ୩ ଟି ପ୍ଲଟ୍ ବାବଦରେ ନଗଦ ୧୫ ଲକ୍ଷ ଟଙ୍କା ଫେରାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ଏକ ଚୁକ୍ତିନାମା କରିଥିଲେ।

କିନ୍ତୁ ଧାର୍ଯ୍ୟ ସମୟରେ ଟଙ୍କା ନଫେରେଇବାରୁ ଦୁଇ ଭାଇ ପୂଣି ବିକ୍ରେତାଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ ଟଙ୍କା ତ ଫେରାଇବା ଦୁରର କଥା ଓଲଟି ହତ୍ୟାର ଧମକ ଦେଇଥିଲେ। ଯାହା ଫଳରେ ଦୁଇ ଭାଇ ଭୟଭୀତ ହୋଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ତୁରନ୍ତ ଅନୁସନ୍ଧାନ କରି ଏତଲା ନଂ ୨୪୮/୨୩ ଅନୁଯାୟୀ ମାମଲା ରୁଜୁ କରି ଦିଲିପ କୁମାର ମିଶ୍ର ଓ ଅଶୋକ କୁମାର ମିଶ୍ର ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts