ନାକଟିଦେଉଳ ବନାଂଚଳରେ ଅବାଧରେ ଜନ୍ତୁଶିକାର: ୧୫ କେଜି ବାରହା ମାଂସ ସହ ୩ ଶିକାରୀ ଗିରଫ

Published: Jun 25, 2023, 5:44 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଜନ୍ତୁ ଶିକାର ଚାଲିଥିବା ବେଳେ ବନବିଭାଗ ସେମାନଙ୍କୁ ସବୁ ସମୟରେ ଧରିବାରେ ସକ୍ଷମ ହୋଇପାରୁନାହିଁ। ଏପରିକି ବହୁ ସମୟରେ ଶିକାରୀମାନେ ବନବିଭାଗକୁ ଚକ୍‌ମା ଦେଇ ଫେରାର୍ ମଧ୍ୟ ହେଉଛନ୍ତି। ଗତ ୨୩/୬ ରାତିରେ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲର ଭୀମମଣ୍ଡଳି ନିକଟସ୍ଥ କଳାପାଟ ଚନ୍ଦନଖୋଳ ଜଙ୍ଗଲରୁ ଜୁନ୍ ୨୩ ତାରିଖ ରାତିରେ ଖମଣମୁଣ୍ଡା ଗ୍ରାମର ଜିତେନ୍ଦ୍ରିୟ ଜମକିଆ, ମିଥୁନ୍ କଂସାରିଆ,ଅନିରୁଦ୍ଧ ଛେଣ୍ଡିଆ ଓ ଅଲେଖ ଶବର ଏକ ବାର୍‌ହା ଶିକାର କରି ଚମ୍ପାଳି ନଦୀରେ ଭାଗ କରି ନେଇଥିଲେ। ସେଠାରୁ ଜଗନ୍ନାଥପ୍ରସାଦ ଗୋପବନ୍ଧୁ ଚିକେନ୍ ଦୋକାନକୁ ମାଂସ ବିକ୍ରି ପାଇଁ ଯାଇଥିଲା।

ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ପ୍ରସାଦ ର ଚିକେନ୍ ଦୋକାନରୁ ୧୫ କେଜି ବାରହା ମାଂସକୁ ଜବତ କରିଥିଲା। ଚିକେନ୍ ଦୋକାନର ମାଲିକକୁ ପଚାରିବାରୁ ଶିକାରୀମାନଙ୍କର ନାମକୁ ପ୍ରକାଶ କରିଥିଲା। ସେ ଆଧାରରେ ବନବିଭାଗର ଏକ ଟିମ୍ ଖମଣମୁଣ୍ଡା ଗ୍ରାମକୁ ଯାଇ ୩ ଜଣ ଶିକାରୀଙ୍କୁ ଗିରଫ କରିବାଥିଲା ଓ ଅଲେଖ ଶବର ଫେରାର୍ ହୋଇଯାଇଥିଲା। ମିଥୁନ୍ କଂସାରିଆ ପାଖରୁ ଏକ ଦେଶୀ ବନ୍ଧୁକ ବନବିଭାଗ ଜବତ କରିଥିଲା। ଦେଶି ବନ୍ଧୁକଟି ଜିତେନ୍ଦିୟ ଜମକିଆର ବୋଲି ବନବିଭାଗ ଅନୁସନ୍ଧାନରୁ ଜାଣି ପାରିଥିଲା। ଆସନ୍ତା କାଲି ଅଭିଯୁକ୍ତ ଶିକାରୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ସହକାରୀ ବନସଂରକ୍ଷକ, ନାକଟିଦେଉଳର ଅଶ୍ୱିନୀ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟର ତଥା ବନବିଭାଗର ଅନ୍ୟ କର୍ମଚାରୀମାନେ ଚଢଉରେ ସାମିଲ୍ ହୋଇଥିଲେ। ବହୁ ସମୟରେ ନାକଟିଦେଉଳ ବନାଂଚଳରେ ଏମିତି ଶିକାରୀମାନେ ସଂରକ୍ଷିତ ଜଙ୍ଗଲକୁ ଅବାଧରେ ପ୍ରବେଶ କରି ଜନ୍ତୁ ଶିକାର କରୁଥିଲେ ମଧ୍ୟ ବନବିଭାଗ ସେମାନଙ୍କୁ ଧରିବାରେ ମୁଣ୍ଡବ୍ୟଥାର କାରଣ ହେଉଛି।

Related posts