ନକଲି ଡାକ୍ତର ଗିରଫ

Published: Jul 18, 2023, 8:04 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି ଡାକ୍ତର ଶୁଭ୍ରଜିତ୍ ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ କଟକ ରାଣୀହାଟ ଅଂଚଳରେ ଏକ କ୍ଲିନିକ୍ ଚଳାଇବା ସହ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା ଗ୍ରାମରେ ଏକ ଶାଖା ଖୋଲି ପ୍ରତ୍ୟେକ ଶନିବାର ଦିନ ରୋଗୀ ଚିକିତ୍ସା କରୁଥିଲେ। ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଜ୍ୱର ରୋଗରେ ପୀଡିତ ହୋଇ ଶୁଭ୍ରଜିତ୍ ପାଖରେ ୩ ଶହ ଟଙ୍କା ଦେଇ ଚିକିତ୍ସିତ ହେବା ସହ ଔଷଧ ନେଇ ଖାଇଥିଲେ ମଧ୍ୟ ଜ୍ୱର ରୋଗର ପରିମାଣ ବୃଦ୍ଧି ପାଇଥିଲା। ଏହି ନକଲି ଡାକ୍ତର କୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଗୁରୁତ୍ବ ନଦେଇ ବାରମ୍ବାର ଔଷଧ ଲେଖି ଚାଲିଥିଲେ।

ଏହି ଭଳି ପରିସ୍ଥିତିରେ ବୃଦ୍ଧା ଜଣଙ୍କୁ ପରିବାର ଲୋକେ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ କରି ଘରକୁ ଫେରି ଆସି ଉକ୍ତ ଘଟଣା ବିଷୟରେ ବ୍ରହ୍ମପୁର ଏସ୍ ପି ଙ୍କୁ ଅଭିଯୋଗ କରିଥିଲେ। ଏସ୍ ପି ମହଦେୟ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଏକ ଟିମ୍ ଗଠନ କରି ଗତକାଲି ଡେଙ୍ଗାଉସ୍ତା ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ଶୁଭ୍ରଜିତ୍ କୁ ଅଟକ ରଖି ପଚରାଉଚୁରା କରିବା ବେଳେ ତାର ସବୁ କଳାକାରନାମା ପଦା ପଡ଼ିଥିଲା।

ଏତଦବ୍ୟତୀତ ନକଲି ଡାକ୍ତର ଶୁଭ୍ରଜିତ୍ ର କଟକ ରାଣୀହାଟ ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ବହୁ ନକଲି କାଗଜ ପତ୍ର ପୋଲିସ ଜବତ କରିଛି।

ପ୍ରକାଶ ଥାଉକି ଶୁଭ୍ରଜିତ୍ ନିଜକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇ ତେଲେଙ୍ଗାନାର ଏକ କର୍ମଶାଳାରେ ଭାଗ ନେଇ ଧରାପଡ଼ି ଜେଲ ଯାଇଥିବାର ପ୍ରମାଣ ମିଳିଥିବା ଜଣାପଡିଛି।

Related posts