ଖୋର୍ଦ୍ଧା: ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ କାରବାରରେ ଅଧ୍ୟାପକ ଗିରଫ

Published: Aug 5, 2023, 11:13 pm IST

ଖୋର୍ଦ୍ଧା: ନକଲି ସାର୍ଟିଫିକେଟ କାରବାରରେ ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ତପନ କୁମାର ପୃଷ୍ଟି (୩୨)। ତାଙ୍କ ନିଜ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳ ହୋଇଥିବା ବେଳେ ସେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ରହୁଥିଲେ।

ପୋଲିସ ସୂଚନା ମୁତାବକ ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ (୧୮) ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇଯାଇଥିଲେ। ତେବେ ଅଭିଷେକଙ୍କୁ ଅଭିଯୁକ୍ତ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଏକ ନକଲି ପାସ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏଥିପାଇଁ ତପନ ଅଭିଷେକଙ୍କ ଠାରୁ ୩୩ ହଜାର ଟଙ୍କା ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ନେଇଥିଲେ।

ତେବେ ପରବର୍ତ୍ତୀ ସମୟରେ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ ପାଇ ଅଭିଷେକ ସଦର ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ସଦର ଥାନା ପୋଲିସ କେସ ନମ୍ବର ୨୨୧/୨୩ ରେ ଏକ ମାମଲା ରୁଜୁ କରିଥିଲା।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଓ ସଦର ଏସଡିପିଓ ଙ୍କ ତତ୍ୱାବଧାନରେ ଆଇଆଇସି କାହ୍ନୁ ଚରଣ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ଅଧ୍ୟାପକ ତପନଙ୍କୁ ଗିରଫ କରାଯାଇଥିଲା। ତେବେ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଦସ୍ତାବିଜ ତିଆରି କରି ବିଦ୍ୟାର୍ଥୀ ମାନଙ୍କୁ ପ୍ରଦାନ କରି ବିପୁଳ ଅର୍ଥ ଉପାର୍ଜନ କରୁଥିବାର ତଦନ୍ତ ବେଳେ ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ବହୁ ଆପତ୍ତିଜନକ ଜିନିଷ ଜବତ କରି କୋର୍ଟ ଚାଲାଣ କରିଛି।

Related posts