୫ ଲାଇସେନ୍ସ ବିହୀନ ବନ୍ଧୁକ ଜବତ ସହ ୫ ଗିରଫ

Published: Feb 15, 2024, 7:51 pm IST

ରଣପୁର: ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥି ନିମନ୍ତେ ଶରଣକୁଳ ଏସ୍ଡ଼ିପିଓ ସୁଧାକର ସାହୁଙ୍କ ତତ୍ୱାବଧାନରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କର ଆଇନ ଶୃଙ୍ଖଳା ଉପରେ କଡା ଦୃଷ୍ଟି ରଖିବା ସହ ପାଟ୍ରୋଲିଂକୁ ଜୋର କରିଥିବା ଜଣା ପଡିଛି।

ରଣପୁର ଥାନାର ଇନ୍ସପେକ୍ଟର ପଞ୍ଚାନନ ପରିଡା ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି। ସେମାନେ ଏହି ବନ୍ଧୁକକୁ ବନ୍ୟ ଜନ୍ତୁ ଶିକାର କରିବାରେ ବ୍ୟବହାର କରୁଥିଲେ ବୋଲି ଜଣା ପଡିଛି। ଗିରଫ ବ୍ୟକ୍ତିମାନେ ବନ୍ଧୁକର ଲାଇସେନ୍ସ ଦେଖାଇ ପାରି ନ ଥିଲେ। ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ସେମାଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି।

ସେହିପରି ଚାନ୍ଦପୁର ପୋଲିସ ଦୁଇ ଜଣଙ୍କୁ ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ଗିରଫ କରିଥିବା ଜଣା ପଡିଛି। ଏ ନେଇ ଅପରାହ୍ନରେ ରଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Related posts