
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ରାମେୟାପାଟଣା ଗ୍ରାମର ଲୋକେ ଚିଲିକା ତଟରେ ଏକ ମୁହାଣ ଖୋଳୁଥିବା ବେଳେ ନିକଟସ୍ଥ କୁତୁରୁ ଗ୍ରାମର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି ଜଣାଇଥିଲେ। ଯାହା ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜୟରାମ ବେହେରା, ଶିବରାମ ବେହେରା, ସାବିତ୍ରୀ ବେହେରା, ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ଭାନୁମତୀ ବେହେରା ଓ ପାର୍ବତୀ ବେହେରା ପ୍ରମୁଖ ୭ ଜଣ ଆହତ ହୋଇଥିବା ଜଣାପଡିଛି।
ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୀତାଂଶୁ ଶେଖର ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି ଓ ଉଭୟ ଗୋଷ୍ଠୀଙ୍କ ୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।