ରେଢ଼ାଖୋଲ (କନ୍ଦର୍ପ ବେହେରା): ଦଶ ମାସ ଦଶ ଦିନ ଗର୍ଭରେ ଧରି ସନ୍ତାନ ଜନ୍ମ ଦେଇଥାଏ ମାଆ। ଛୋଟରୁ ବଡ଼ କରିଥାଏ। ପାଠ ପଢାଇ ବଡ଼ ମଣିଷ କରିବାକୁ କେତେ ସ୍ବପ୍ନ ଦେଖିଥାଏ ମାଆ। ହେଲେ ଶେଷରେ ସେଇ ଜନ୍ମ କଲା ପୁଅ ରାବଣ ସାଜି ଏକ କୋଡ଼ିରେ ମାଆର ମୁଣ୍ଡ ଫଟାଇ ରକ୍ତାକ୍ତ କରିଦେବା ଭଳି ଘଟଣା ଘଟିଛି ରେଢ଼ାଖୋଲ ଥାନା ଶିମିଳିପାଳ ପଂଚାୟତ ସରଧାପୁର ଗ୍ରାମରେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ଶିମିଳିପାଳ ପଂଚାୟତ ସରଧାପୁର ଗ୍ରାମର ଅର୍ଜୁନ ଭୋଇ ତାର ମାଆ ଅଯୋଧ୍ୟା ଭୋଇଙ୍କୁ ମଦ୍ୟ ପାନ କରି ଗତ ଶନିବାର ଦିନ ଜୀବନରେ ମାରିଦେବାକୁ ଧମକ ଦେବାସହ ଏକ କୋଡ଼ିରେ ମାଆ ଅଯୋଧ୍ୟାଙ୍କୁ ଫସା ମାରିଦେଇ ଥିଲା। ଯା’ ଫଳରେ ଅଯୋଧ୍ୟାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରେଢ଼ାଖୋଲ ମେଡିକାଲରେ ମାଆ ଅଯୋଧ୍ୟା ଚିକିତ୍ସିତ ହେଉଛନ୍ତି। ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।


