ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳର ବହୁଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦ୍ୱିତୀୟ ଅତିରିକ୍ତ ଦୌରାଜଜ ବନ୍ଦନା କର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ୱରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ଘଟିଥିବା ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗନ୍ନାଥ ପ୍ରଧାନ ପୂର୍ବ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ।
ପ୍ରିୟଙ୍କା ପୂର୍ବରୁ ବିବାହିତ ଥିଲେ ଏବଂ ସ୍ୱାମୀ ଓ ୩ ବର୍ଷର ପୁଅଙ୍କ ସହ ଭୀମଟାଙ୍ଗୀରେ ରହୁଥିଲେ। ଜଗନ୍ନାଥ ତାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ଏକତରଫା ଭାବେ ପ୍ରେମ କରୁଥିଲେ। ଘଟଣାର ପ୍ରାୟ ଚାରି ଦିନ ପୂର୍ବରୁ ସେ ହତ୍ୟାର ଯୋଜନା କରିଥିବା ତଦନ୍ତରେ ସାମ୍ନାକୁ ଆସିଥିଲା।
ଘଟଣା ଦିନ ସକାଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ୍କୁ ଯିବା ପରେ ଅଭିଯୁକ୍ତ ତାଙ୍କ ଘରକୁ ପ୍ରବେଶ କରିଥିଲେ। ପ୍ରିୟଙ୍କାଙ୍କୁ ନିଜ ସହ ଯିବା ଓ ବିବାହ କରିବା ପାଇଁ ଚାପ ପକାଇଥିଲେ। ପ୍ରିୟଙ୍କା ଏଥିରେ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଜଗନ୍ନାଥ ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରି ହତ୍ୟା କରିଥିଲେ। ସେହି ସମୟରେ ଘରେ ଥିବା ୩ ବର୍ଷର ଶିଶୁପୁଅ ଅକ୍ଷତ ରହିଥିଲା।
ଦୀର୍ଘ ଶୁଣାଣି ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିବାରୁ ଏହି ବହୁଚର୍ଚ୍ଚିତ ମାମଲାର ନ୍ୟାୟିକ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଶେଷ ହୋଇଛି।


