ନୂଆଦିଲ୍ଲୀ: ଆସାରାମ ବାପୁଙ୍କ ସମସ୍ୟା ନିରନ୍ତର ଜାରି ରହିଛି। ତାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା ଲାଗିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ୍ ମାଗିଥିଲେ। ଯୋଧପୁରର ଏମ୍ସରୁ ମିଳିଥିବା ଡାକ୍ତରୀ ରିପୋର୍ଟ ଆଧାରରେ କୋର୍ଟ ଏହି ସମୟରେ ଜାମିନ୍ ଅନୁଚିତ ବୋଲି ବିଚାର କରିଛନ୍ତି।
ଜାମିନ୍ ପାଇଁ ପୁନଃ ଆବେଦନ କରିପାରିବେ କି?
ସୁପ୍ରିମ କୋର୍ଟ ଯାଚିକାକୁ ବଜାୟ ରଖିଛନ୍ତି ଏବଂ କହିଛନ୍ତି ଯେ, ଯଦି ତାଙ୍କ ଅବସ୍ଥା ଖରାପ ହୁଏ ତେବେ ସେ ପୁନଃ ଜାମିନ୍ ପାଇଁ ଆବେଦନ କରିପାରିବେ। ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ ଏହା ମଧ୍ୟ ଅବଗତ କରାଯାଇଥିଲା ଯେ ଆଶାରାମଙ୍କୁ ବର୍ତ୍ତମାନ ହାଇକୋର୍ଟ ଦ୍ୱାରା ୨୦ ଦିନର ପାରୋଲ୍ ଦିଆଯାଇଛି।
ଯୋଧପୁର ଏମ୍ସ ଏହାର ରିପୋର୍ଟରେ କହିଛି ଯେ, ଆଶାରାମଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ୨୪ ଘଣ୍ଟା ନଜର ରଖିବା ଉଚିତ। ଏହି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ମନା କରିଦେଇଛନ୍ତି।


