ଭଞ୍ଜନଗର / ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ତତାବାଲି ଗାଁ ନିକଟରେ ଏକ ଚାଞ୍ଚଲ୍ୟକର ଓ ଭୟାନକ ସଙ୍ଘବଦ୍ଧ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଏକ ଭ୍ୟାନ୍ରେ ଧକ୍କା ଦେବା ପରେ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ। ଏହି ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁଯାୟୀ, ଦୁଇ ଯୁବକ ନିଜ ବାଇକ୍ରେ ଯାଉଥିବା ସମୟରେ ତତାବାଲି ଗାଁ ନିକଟରେ ଏକ ଚାରିଚକିଆ ଭ୍ୟାନ୍ ପଛପଟୁ ଆସି ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପ୍ରଭାବରେ ଦୁଇ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଯୁବକଦ୍ୱୟ ସମ୍ଭାଳିବା ପୂର୍ବରୁ ଭ୍ୟାନ୍ ଭିତରୁ କିଛି ମାରାତ୍ମକ ମାରଣାସ୍ତ୍ର ଧରି ଦୁର୍ବୃତ୍ତମାନେ ବାହାରି ଆସିଥିଲେ। ସେମାନେ ଧାରୁଆ ଖଣ୍ଡାରେ ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ବେପରୁଆ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସ୍ଥାନୀୟ ଲୋକେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଜୀବନ ସହ ସଂଗ୍ରାମ କରିବାକୁ ପଡ଼ୁଛି।
ଘଟଣା ସମ୍ପର୍କରେ ଖବର ପାଇ ସୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତା କିମ୍ବା ବ୍ୟବସାୟିକ ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।


