ବାଲେଶ୍ୱର: ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମଠନୂଆଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏହି ଘଟଣାରେ ବୋହୁ ସୁଇଟି ସିଆଳ ଗୁରୁତର ଆହତ ହୋଇଛନ୍ତି ସୂଚନା ଅନୁସାରେ, ଗଛ ଲଗାଇବାକୁ କେନ୍ଦ୍ର କରି ଶାଶୁ ଓ ବୋହୁଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଉଗ୍ରରୂପ ନେବା ପରେ ଶାଶୁ ବୋହୁଙ୍କ ଉପରକୁ ଗରମ ତେଲ ଫିଙ୍ଗିଥିବା ଅଭିଯୋଗ ହୋଇଛି।
ଗରମ ତେଲ ପଡ଼ିବାରୁ ସୁଇଟିଙ୍କ ଶରୀରରେ ଗୁରୁତର ପୋଡ଼ା ଆଘାତ ହୋଇଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ନେଇଥିବା ବେଳେ, ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଖଇରା ପୋଲିସ ଶାଶୁଙ୍କୁ ଅଟକ ରଖିଛି। ଘଟଣାର ପ୍ରକୃତ କାରଣ ଏବଂ ବିବାଦର ପୂରା ଘଟଣାକ୍ରମ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


