ଗଞ୍ଜାମ: ହିଞ୍ଜିଳି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପୋଚିଲିମା ଛକରୁ ୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ କେରଳ ରାଜ୍ୟ ଥାଲାକୁଡି ଅଞ୍ଚଳର ଜୁନାଇଦ୍ ଏ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ସଂଗ୍ରାମ କେଶରୀ ମାରାଣ୍ଡିଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ ପୋଚିଲିମା ଛକ ନିକଟରେ ସଦଳବଳେ ପାଟ୍ରୋଲିଂ ଏବଂ କଡ଼ା ଯାଞ୍ଚ କାର୍ଯ୍ୟ ଜାରି ରଖିଥିଲେ। ଏହି ସମୟରେ ଜଣେ ଯୁବକ ଗୋଟିଏ ଅଖା ମୁଣି ଧରି ବସ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଯୁବକଙ୍କ ଗତିବିଧି ସନ୍ଦେହଜନକ ମନେହେବାରୁ ଅବକାରୀ କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ପଚରାଉଚରା କରିବା ସହ ତାଙ୍କ ପାଖରେ ଥିବା ଅଖା ମୁଣିଟିକୁ ପରୀକ୍ଷା କରିଥିଲେ।
ଯାଞ୍ଚ ସମୟରେ ଅଖା ମୁଣି ଭିତରୁ ପ୍ରାୟ ୪ କିଲୋଗ୍ରାମ ଓଜନର ଗଞ୍ଜେଇ ବାହାରିଥିଲା। ଏହାପରେ ଅବକାରୀ କର୍ମଚାରୀମାନେ ତୁରନ୍ତ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଚାଲାଣକାରୀ ଯୁବକଙ୍କୁ ଅଟକ ରଖି ଅବକାରୀ ଥାନାକୁ ନେଇଥିଲେ। ସେଠାରେ ତାଙ୍କୁ ସଘନ ଜେରା କରାଯିବା ପରେ ଅବକାରୀ ବିଭାଗ ପକ୍ଷରୁ ମାମଲା ନମ୍ବର ୬୬/୨୬,୨୭ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣା ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


