ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମରେ ରକ୍ତାକ୍ତ ଘଟଣା ଘଟିଛି। ଗ୍ରାମରେ ନାଟ୍ୟ ମହୋତ୍ସବ ଧୁମଧାମରେ ପାଳିତ ହେଉଥିବା ବେଳେ ସନ୍ତୁ ପାତ୍ର ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ସନ୍ତୁ ପାତ୍ର ଜଣେ ପୁରୁଣା ଅପରାଧୀ ବୋଲି କୁହାଯାଉଛି।
ଅଭିଯୋଗ ଅନୁସାରେ, କୌଣସି କଥାକୁ ନେଇ ଅଭିଯୁକ୍ତମାନଙ୍କ ସହ ସନ୍ତୁଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରାୟ ୫ ଜଣ ଯୁବକ ମିଳିତ ଭାବେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ସନ୍ତୁଙ୍କ ମୃତ୍ୟୁ ଘଟିଥିଲା।
ଛଡ଼ାଇବାକୁ ଯାଇ ମୃତ ସନ୍ତୁଙ୍କ ବାପା କାମେୟା ପାତ୍ର ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କାମେୟା ପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
ତେବେ ଏହା କେବଳ ବର୍ତ୍ତମାନର ଘଟଣା ନୁହେଁ, ପୁରୁଣା ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅଭିଯୁକ୍ତମାନେ ଫେରାର ଥିବା ବେଳେ କିଛି ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।


