ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ! ରାସ୍ତା ଉପରେ ଜଣେ ଯୁବକଙ୍କୁ ଅଟକାଇ ଅତି ନିକଟରୁ ଗୁଳିମାଡ଼ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଉଛନ୍ତି ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗ। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ପାଙ୍କେଲ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଗୁଳିମାଡ଼ ପରେ ସୁଦାମଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ସୁଦାମ ନିଜ ମୋଟରସାଇକଲରେ ସାଲେପାଲିରୁ ଅଇଁଳାସାରି ରାସ୍ତା ଦେଇ ଗାଁକୁ ଫେରୁଥିଲେ। ଏହି ସମୟରେ ପାଙ୍କେଲ ଛକ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗୁଳିମାଡ଼ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟିଥିଲା। ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିବା ଜଣାପଡ଼ିଛି।
ଖବର ପାଇ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଓ ଡୁଙ୍ଗୁରିପାଲି ଥାନା ଆଇଆଇସି ରୋଜାଲିନ ପଟେଲ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ସମୟରେ ଫରେନ୍ସିକ୍ ଟିମ୍ ଦୁଇଟି ଖାଲି ଗୁଳି ଖୋକା ଜବତ କରିଛି। ହତ୍ୟାକାଣ୍ଡ ପଛରେ କିଏ ଅଛି ଏବଂ କେଉଁ କାରଣରୁ ଏଭଳି ଆକ୍ରମଣ ହୋଇଛି, ସେନେଇ ପୁଲିସ ଛାନଭିନ୍ ଜାରି ରଖିଛି।
ଯୋଜନାବଦ୍ଧ ଭାବେ ସୁଦାମଙ୍କୁ ରାସ୍ତାରେ ଅଟକାଇ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ତେବେ ଏହା ପଛରେ ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ତଦନ୍ତ ଚଳାଇଛି।


