ସାମାନ୍ୟ ଶାଢୀ ପାଇଁ ସାତ ମାସର ସନ୍ତାନକୁ ହତ୍ୟା କଲା ମା’

Published: Mar 2, 2020, 10:05 am IST

ଆଲିଗଡ : ମା’ର ସଂଜ୍ଞା ତିଆରି କରିବା ବଡ କଷ୍ଟକର । ସନ୍ତାନକୁ ଜନ୍ମ ଦେଇ ବଢେଇ କୁଢେଇ ମଣିଷ ତିଆରି କରିଥାଏ ମା’ । ମା’ ଭୂମିକାର ଜଟିଳ ପଣ ତଥା ନିଆରାପଣର ସଂଜ୍ଞା କିଛି ନାହିଁ । ଦୁନିଆର ସବୁଠୁ ମିଠା ଶବ୍ଦ ଓ ଏକାନ୍ତ ନିଜର ହେଉଛି ମା’ । ସନ୍ତାନର ସମସ୍ତ ଅଳି ଅର୍ଦ୍ଦଳି ସହିବା ସହିତ ସେହି ସନ୍ତାନ ପାଇଁ ସାରା ଦୁନିଆ ସହ ଯୁଦ୍ଧ କରିବାକୁ ବି ପସ୍ତାଏ ନାହିଁ ମା’ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା ହେଉଛି ଏହି ମା’ । କିନ୍ତୁ ଆଜିର ସମାଜରେ ଘଟୁଥିବା କିଛି ଘଟଣା ଏହାର ବ୍ୟତିକ୍ରମ କରୁଛି । ସାମାନ୍ୟ ରାଗରେ ମା’ ନିଜ ଜନ୍ମିତ ସନ୍ତାନକୁ ନୃଶଂସ ଭାବେ ହତ୍ୟା କରୁଛି ।  ଜଣେ ମା’ ସାତ ମାର ସନ୍ତାନକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣା ୟୁପିର ଆଲିଗଡଠାରେ ଘଟିଛି ।

ଆଲିଗଡଠାରେ ଜଣେ ମା’ ଜନ୍ମିତ ସାତ ମାସର ଶିଶୁକୁ ତଳେ ପିଟି ପିଟି ହତ୍ୟା କରିଛି । ଶିଶୁର ପିଇସୀ ଏହି ଘଟଣାର ଭିଡିଓ ରେକର୍ଡିଂ କରୁଥିବାବେଳେ ଶିଶୁଟିକୁ ଉଦ୍ଧାର ପାଇଁ ଚେଷ୍ଟା ନ କରିବା  ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା।

ତେବେ ମହିଳା ଜଣକ ସାମାନ୍ୟ ଶାଢୀ ପାଇଁ ନିଜ ସନ୍ତାନର ଜୀବନ ନେଇଛନ୍ତି । ସ୍ବାମୀ ତାଙ୍କ କଥା ନ ମାନି ତାଙ୍କୁ ଶାଢୀ କିଣି କି ନ ଦେବାରୁ ସେ ତାଙ୍କର ସମସ୍ତ ରାଗ ଏକ ନିରୀହ କୋମଳ ଶିଶୁ ଉପରେ ସାରିଛନ୍ତି । ଅଭିଯୁକ୍ତା ମହିଳା ଜଣକ ନିଜ ସାତ ମାସର ଶିଶୁକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ତଳେ ପିଟି ପିଟି ହତ୍ୟା କରିଛନ୍ତି ।  ପୋଲିସ୍‌ ମହିଳାଙ୍କୁ ଗିରଫ କରିବା ପରେ ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ମହିଳାଙ୍କ ସ୍ବାମୀ ଜଣକ କହିଛନ୍ତି ଯେ, ତିନି ଦିନ ଧରି ତାଙ୍କ ଦେହ ଖରାପ ଥିବାରୁ ସ୍ତ୍ରୀଙ୍କ ପାଇଁ ସେ ଶାଢୀ ଆଣିପାରିନଥିଲେ ।

ମିଳିଥିବା ସୂଚନା ଅନୁସାରେ ପାଞ୍ଚ ବର୍ଷ ପୂର୍ବରୁ ମହିଳା ଜଣକ ବିବାହ କରିଥିବାବେଳେ ବିବାହର କିଛି ଦିନ ପରେ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ବିବାହ ପରେ ମହିଳା ଜଣକ କିଛି ନା କିଛି କାରଣ ପାଇଁ ସର୍ବଦା ସ୍ବାମୀଙ୍କ ସହିତ ଝଗଡା କରିଥା’ନ୍ତି । (ଏଜେନ୍ସି)

Related posts