ଥାନାରୁ ଚମ୍ପଟ ଅଭିଯୁକ୍ତ ଢିଙ୍କିଆରୁ ଧରାହେଲା

Published: Mar 7, 2020, 10:16 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କୁଜଙ୍ଗ ଥାନାରୁ ଗତକାଲି ବିଳମ୍ବିତ ରାତିରେ ହ୍ୟାଣ୍ଡକଫରୁ ହାତଖସାଇ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଆଜି କୁଜଙ୍ଗ ପୁଲିସ ଢିଙ୍କିଆରୁ ଧରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ତାଙ୍କୁ ସ୍ଥାନୀୟ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଜାମିନୀ ଆବେଦନ ନାମଞ୍ଜରୁ ହୋଇଯିବାରୁ ତାଙ୍କୁ ସମାଗୋଳସ୍ଥିତ ଜେଲକୁ ପଠାଇଦିଆଯାଇଛି ।

ପ୍ରକାଶଯେ, ଗତକାଲି ବାଲିଆସ୍ଥିତ ଏକ ଏୟାରଟେଲ ଟାୱାର ପରିସରମଧ୍ୟରୁ ଦେଢଲକ୍ଷ ଟଙ୍କା ମୂଲ୍ୟର ବ୍ୟାଟେରୀ ଚୋରି ଅଭିଯୋଗରେ କୁଜଙ୍ଗ ପୁଲିସ ଏହିଥାନା ଅଧୀନ ଗଣ୍ଡକିପୁର ମଠସାହି ଅଂଚଳର ବିକାଶ ଭଟ୍ଟଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ଗତକାଲି ରାତିରେ ହାଜାତ ବାହାରେ ହ୍ୟାଣ୍ଡ୍‌କଫ ପକାଯାଇ ରଖାଯାଇଥିଲା । ମାତ୍ର ସମ୍ପୃକ୍ତ ଅଭିଯୁକ୍ତ  ଗତକାଲି ପ୍ରାୟ ରାତି ଚାରିଟା ସମୟରେ କୌଣସିପ୍ରକାର ହ୍ୟାଣ୍ଡକଫରୁ ହାତଖସାଇ ଥାନା ମଧ୍ୟରୁ ଚମ୍ପଟ ମାରିବାରେ ସମର୍ଥ ହୋଇଥିଲେ । ଏହା ଜଣାପଡ଼ିବାପରେ ପୁଲିସ ସ୍ଥାନୀୟ ବିଭିନ୍ନ ଅଂଚଳରେ ଛାନଭିନ କରିଥିଲା । ମାତ୍ର ତାହାର କୌଣସି ଟେର ପାଇନଥିଲା । ତେବେ ଅନୁସନ୍ଧାନରୁ ଜଣାପଡ଼ିଥିଲାଯେ ଅଭିଯୁକ୍ତଙ୍କ ବଡ଼ବାଇଙ୍କ ଶଳା ତାକୁ ନେଇ ଢିଙ୍କିଆରେ ଛାଡ଼ିଥିଲା। ଫଳରେ ପୁଲିସ ଝିମାଣୀସ୍ଥିତ ତାଙ୍କର ସମ୍ପର୍କୀୟ ଶଳାଙ୍କୁ ପଚାରାଉଚରା କଲାପରେ ସେ ଏହି ସମ୍ପର୍କରେ ସୁରାକ ଦେଇଥିଲା । ପରେ ପୁଲିସର ଏକଟିମ୍ ଢିଙ୍କିଆର ଜଙ୍ଗଲ ମଧ୍ୟରେ ଥିବା ଏକ ପାନବରଜ ମଧ୍ୟରେ ଶୋଇଥିବା ଅବସ୍ଥାରେ ତାକୁ ଧରିଥିଲେ।

Related posts