ହଜିଯାଉଛି ମାନବିକତା : ଫ୍ଲାଟ୍ ଖାଲି କରିବାକୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଧମକ

Published: Mar 30, 2020, 7:03 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି ସମୟରେ ଯିଏ ଯେଉଁଠି ରହିଛନ୍ତି, ସେଇଠି ସୁରକ୍ଷିତ ଭାବରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଠିକ୍‌ ଏତିକିବେଳେ ଭୁବନେଶ୍ୱରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଫ୍ଲାଟ୍ ଖାଲି କରିବା ପାଇଁ ଦୁଷ୍କର୍ମ ଧମକ ଦିଆଯାଇଛି । ବିଗତ କିଛି ବର୍ଷ ଧରି ମହିଳା ଡାକ୍ତର ଜଣକ ଖଣ୍ଡଗିରିରେ ଏକ ଫ୍ଲାଟ୍‌ରେ ରହୁଥିବା ବେଳେ ଫ୍ଲାଟ୍ ହାଉସିଂ ସୋସାଇଟିର ଜନୈକ ସଦସ୍ୟ ତାଙ୍କୁ ଘର ଖାଲି କରିବା ପାଇଁ ଧମକ ଦେଇଥିଲେ। ମାତ୍ର ଯୁବତୀ ଜଣକ ଫ୍ଲାଟ୍ ଖାଲି ନକରିବାରୁ ଉକ୍ତ ଯୁବକ ଜଣକ ଦୁଷ୍କର୍ମର ଧମକ ଦେଇଥିଲେ। ଏହାପରେ ଡାକ୍ତରାଣୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ପୋଲିସ୍ ଗିରଫ କରିଛି।

ଦେଶର ଏପରି ସଂକଟର ସ୍ଥିତି ସମୟରେ ଡାକ୍ତରମାନେ କରୋନା ସହ ଦୃଢତାର ସହ ଲଢେଇ କରୁଥିବାରୁ ତାଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ସମ୍ମାନ ଦେବା ପାଇଁ ନିବେଦନ କରିଥିଲେ ମଧ୍ୟ ସମାଜରେ ଡାକ୍ତରଙ୍କ ପ୍ରତି ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନାହିଁ । ଆଜି ମଧ୍ୟ ଓଡ଼ିଶା ହାଇକୋର୍ଟ ଡାକ୍ତରଙ୍କ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ବରର ଜଣେ ଡାକ୍ତରାଣୀଙ୍କୁ ଏପରି ବ୍ୟବହାର ସତରେ ନିନ୍ଦନୀୟ।  ତେବେ ଡାକ୍ତରାଣୀ ଜଣକ କରୋନା ପୀଡିତଙ୍କୁ ଚିକିତ୍ସା କରୁନଥିବାର ସ୍ପଷ୍ଟ କରିଛନ୍ତି ।

Related posts