Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆବଶ୍ୟକ ତେଇଶି, ଅଛନ୍ତି ଦୁଇ ଡାକ୍ତର: ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ?

ବେଗୁନିଆପଡା (ଟୁକୁନା ପ୍ରଧାନ): ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତା ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡା ଚିକିତ୍ସାକେନ୍ଦ୍ର। ଏହି ସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ ଡାକ୍ତର।

ଆଇପିଏଚଏସ ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଞ୍ଚ ଜଣ ଏମ ବି ବି ଏସ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। ତେବେ ୧୧ ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ ଜଣେ ହେଲେ ମଧ୍ୟ ସ୍ଥାୟୀ ଚିକିତ୍ସକ ନାହାନ୍ତି, ଯାହା ଫଳରେ ୩ ଜଣଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଡେପୁଟେସନ ହୋଇଛି।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀ ନଥିବାରୁ ବେଗୁନିଆପଡା ଡାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବେଗୁନିଆପଡାରେ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଛାଡି ଦିଆଯାଇଛି।

କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ ଜଣ ସ୍ଥାନରେ ଜଣେ, ଆଟେଣ୍ଡାଣ୍ଟ ୪ଜଣଙ୍କ ସ୍ଥାନରେ ଦୁଇଜଣ, ନର୍ସ ୧୨ ଜଣଙ୍କ ସ୍ଥାନରେ ମାତ୍ର ଛଅଜଣ ରହିଛନ୍ତି।

ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟା ଡାକ୍ତର ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ସର୍ଜରୀ ଡାକ୍ତରଙ୍କ ଭରସାରେ ଚାଲିଛି। ଏଠାରେ ନର୍ସ ୮ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି।

ସେପଟେ ବେଗୁନିଆପଡା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ କେହି ଷ୍ଟାଫ ନଥିବା ବେଳେ ଜଣେ ମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି। ଯାହାକି ରୋଗୀଙ୍କ ଜୀବନ ଉପରେ ଖେଳ ଖେଳା ଯାଉଛି। କୋଦଳା ଏବଂ ବେଗୁନିଆପଡା ଅଂଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜିବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଗୁରୁତର ସହ ନେଇ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆସନ୍ତା ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ରହିବ ୟୁନିକ୍ ଆଇଡି, ଆଇଏମଆର ବଦଳରେ ଏନଏମଆର

ନୂଆଦିଲ୍ଲୀ: ୨୦୨୪ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ଏକ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (ୟୁନିକ୍ ଆଇଡି) ରହିବ। ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ଜାତୀୟ ମେଡିକାଲ ରେଜିଷ୍ଟର ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
ଆସନ୍ତା ୬ ମାସ ମଧ୍ୟରେ ଆରମ୍ଭ ହେବ ଏନଏମଆରର ପାଇଲଟ ପ୍ରୋଜେକ୍ଟ
ଏନଏମସି ସଦସ୍ୟ ଡାକ୍ତର ଯୋଗେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ଆସନ୍ତା ଛଅ ମାସ ମଧ୍ୟରେ ଜାତୀୟ ମେଡିକାଲ ରେଜିଷ୍ଟର (ଏନଏମଆର)ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ୨୦୨୪ ଶେଷ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ।

IMR ର ସ୍ଥାନ ନେବ NMR

ଏନଏମଆର ଇଣ୍ଡିଆନ ମେଡିକାଲ ରେଜିଷ୍ଟର ଆଇଏମଆରର ସ୍ଥାନ ନେବ। ଏନଏମସି ୱେବସାଇଟରେ ଏହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ଡାକ୍ତରଙ୍କ ୟୁଆଇଡି ନମ୍ବର, ରେଜିଷ୍ଟ୍ରେସନ ନମ୍ବର, ନାମ, କାର୍ଯ୍ୟସ୍ଥଳ, ଯୋଗ୍ୟତା ଓ ଅନ୍ୟାନ୍ୟ ବିବରଣୀ ରହିବ।

ଆଇଏମଆରରେ ପଞ୍ଜୀକୃତ ହେଲେ ୧୪ ଲକ୍ଷ ଡାକ୍ତର

ଡାକ୍ତର ମଲ୍ଲିକ କହିଛନ୍ତି ଯେ, ଡାକ୍ତରମାନଙ୍କ ପାଇଁ ‘ଏକ ଦେଶ ଗୋଟିଏ ପଞ୍ଜୀକରଣ ପ୍ଲାଟଫର୍ମ’ ସୃଷ୍ଟି କରିବାର ଉଦ୍ଦେଶ୍ୟ ଲାଲଫିତାକୁ ଦୂର କରିବା। ବର୍ତ୍ତମାନ ପ୍ରାୟ ୧୪ ଲକ୍ଷ ଡାକ୍ତର ଆଇଏମ୍ଆରରେ ପଞ୍ଜୀକୃତ ହୋଇଛନ୍ତି। ସେମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ସମସ୍ତ ଡାଟା ଏନଏମଆରକୁ ସ୍ଥାନାନ୍ତର ହେବ। ସେମାନଙ୍କୁ ଆଉ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ।

ୟୁଆଇଡି ପ୍ରସ୍ତୁତ କରିବ ଇଏମଆରବି

ଏନଏମସିର ନୈତିକତା ଏବଂ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ (ଇଏମଆରବି) ଦ୍ୱାରା ୟୁଆଇଡି ପ୍ରସ୍ତୁତ କରାଯିବ। ଚଳିତ ବର୍ଷ ମେ ମାସରେ ଏନଏମସି ଦ୍ୱାରା ଏହି ପଦକ୍ଷେପ ଘୋଷଣା କରାଯାଇଥିଲା। ପ୍ରକ୍ରିୟା ଅନୁଯାୟୀ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମାସ୍କ ଯୁକ୍ତ ୟୁଆଇଡି ଦିଆଯିବ। ଏମ୍‍ବିବିଏସ୍ ସରିବା ପରେ ସେମାନଙ୍କ ଆଇଡି ଉନ୍ମୋଚନ କରାଯାଇ ଆବଣ୍ଟନ କରାଯିବ। ଏହି ୟୁଆଇଡି ଆଜୀବନ ବୈଧ ରହିବ। ପୋର୍ଟାଲରେ ଡାକ୍ତରମାନେ ନିଜର ଯୋଗ୍ୟତା ଅପଡେଟ୍ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ବ୍ରହ୍ମପୁର ଏମକେସିଜି ଡାକ୍ତର

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର।

ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯେଉଁଥିରେ ସୌଭାଗ୍ୟବଶତଃ ଡାକ୍ତର ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଡାକ୍ତରଙ୍କୁ ଉଦ୍ଧାର କରିଥିବାବେଳେ ଗାଡ଼ି ଜବତ କରି ତଦନ୍ତ ଚଳାଇଛି। ଡାକ୍ତର ଶ୍ରୀ ନାୟକ ସୁସ୍ଥ ଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବଢିଲା ଡାକ୍ତରଙ୍କ ଅବସର ବୟସ ସୀମା

ଭୁବନେଶ୍ବର, ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପୂର୍ବରୁ ଡାକ୍ତରଙ୍କ ଅବସର ବୟସ ସୀମା 62 ବର୍ଷ ଥିଲା। OHMS ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଇଛି। ଏଥିସହିତ ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏମ୍ସର 4 ଡାକ୍ତର କରୋନା ପଜିଟିଭ୍‌

ଭୁବନେଶ୍ବର : ଭୁବନେଶ୍ବର ଏମ୍ସର 4 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଏହି 4 ଡାକ୍ତର ପଜିଟିଭ୍‌ ହୋଇଥିବା ଜଣାପଡିଛି । ଏମ୍ସର ନିର୍ଦ୍ଦେଶକ ବି ଗୀତାଞ୍ଜଳୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା 4 ଡାକ୍ତରଙ୍କ ମଧ୍ୟରେ 3 ଜଣ ବରିଷ୍ଠ ଡାକ୍ତର ରହିଥିବା ବେଳେ ଜଣେ ଜୁନିୟର ଡାକ୍ତର ରହିଛନ୍ତି । 3 ବରିଷ୍ଠ ଡାକ୍ତର ସର୍ଜରୀ, ପାଥୋଲୋଜୀ ଏବଂ ମେଡିସିନ୍‌ ବିଭାଗର ରହିଥିବା ବେଳେ ଜୁନିୟର ଡାକ୍ତର ଜଣକ ଚର୍ମରୋଗ ବିଭାଗର ଅଟନ୍ତି । 4 ଡାକ୍ତରଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜଣେ ଜୁନିୟର ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନ୍‌ରେ ଭୁବନେଶ୍ବର ଏମ୍ସର 4 ଡାକ୍ତର

ଭୁବନେଶ୍ବର : କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର

ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ମିଳିବା ପରେ ଗୌହ୍ବାଟୀ ମେଡ଼ିକାଲ କଲେଜକୁ ବନ୍ଦ କଲେ ରାଜ୍ୟ ସରକାର

ଗୌହ୍ବାଟୀ: ଦେଶରେ କରୋନା ସ୍ଥିତି ସଂକଟଜନକ ଅବସ୍ଥାରେ ରହିଥିବାବେଳେ ଆସାମରେ ମଧ୍ୟ କରୋନ ସଂକ୍ରମଣର ଦ୍ରୁତ ପ୍ରସାର ଦେଖିବାକୁ ମିଳିଛି। ଆସାମ ସରକାର ଗୌହ୍ବାଟୀ ମେଡ଼ିକାଲ କଲେଜକୁ ନୂତନ ରୋଗୀଙ୍କ ପାଇଁ ବନ୍ଦ କରିଛନ୍ତି। ଏହି ମେଡ଼ିକାଲ୍‌ କଲେଜରେ ଏକ ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ମିଳିବା ପରେ ମେଡିକାଲ୍‌ କଲେଜକୁ ବନ୍ଦ କରାଯାଇଛି।

ଆସାମର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହେମନ୍ତ ବିସ୍ଓ୍ବା ଶର୍ମା ଏହି ମେଡିକାଲକୁ କେହି ରୋଗୀ ଆସିପାରିବେ ନାହିଁ ବୋଲି କହିଛନ୍ତି । କିଛି ଦିନ ପାଇଁ ଏହି ହସ୍ପିଟାଲ ଏବେ ବନ୍ଦ ରହିବାର ଘୋଷଣା। ଏହି ମେଡିକାଲ କଲେଜରେ ଜଣେ ପିଜି ଷ୍ଟୁଡେଣ୍ଟଙ୍କ କରୋନା ସଂକ୍ରମିତ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସ୍କ୍ରିନିଂ କରାଯିବା ସହ ମେଡ଼ିକାଲ କଲେଜକୁ ସାନିଟାଇଜ କରାଯାଉଛି। ଏହି ହସ୍ପିଟାଲରେ ରହିଥିବା ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  ଗୁରୁବାର ଦିନ ଆସାମରେ ନୂତନ ଆଠୋଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏଥିରୁ ଚାରି ଜଣ ଗୌହ୍ବାଟୀର  ଓ ଅନ୍ୟ ଚାରି ଜଣ କାଛର ଜିଲ୍ଲାର ରହିଥିଲେ। ନୂତନ ମାମଲାକୁ ମିଶାଇ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 53 ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ପୁଣି 6 ଡାକ୍ତର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସହ ଯୁଦ୍ଧ କରୁଥିବା ଡାକ୍ତରମାନେ ଲଗାତାର ଭାବରେ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି । ହିନ୍ଦୁ ରାଓ୍ବ ହସ୍ପିଟାଲର ଆଉ ତିନି ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି କସ୍ତୁରବା ଗାନ୍ଧି ହସ୍ପିଟାଲରେ ମଧ୍ୟ ତିନି ଜଣ ଡାକ୍ତର କରୋନା ପଜିଟିଭ୍‌ ରହିଥିବାର ସୂଚନା ରହିଛି । ଡାକ୍ତରଙ୍କ ସମେତ ଜଣେ ମିଡିଆ କର୍ମୀ, ଜଣେ ଓପିଡିର ରୋଗ ଓ ଆଉ ଜଣେ ବ୍ୟକ୍ତିଠାରେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।

ପୂର୍ବରୁ ହିନ୍ଦୁ ରାଓ୍ବ ହସ୍ପିଟାଲର ଜଣେ ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ନର୍ସଙ୍କ ସମ୍ପର୍କରେ 78 ଜଣ ଆସିଥିଲେ । ଏଥିରୁ 67 ଜଣଙ୍କ ସାମ୍ପଲ୍‌ ପରୀକ୍ଷା କରାଯାଇଥିଲା। ଏଥିରୁ 65ଟି ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଦୁଇଟି ପଜିଟିଭ୍‌ ଆସିଥିଲା । ଏହି ଦୁଇ ପଜିଟିଭଙ୍କ ମଧ୍ୟରେ ଜଣେ ନର୍ସ ଓ ଜଣେ ଡାକ୍ତର ରହିଥିଲେ ।

ସେହିପରି ଦିଲ୍ଲୀର ବାବୁଜଗଜୀବନ ରାମ ହସ୍ପିଟାଲରେ କରୋନା ସଂକ୍ରମିତ 60ରୁ ଅଧିକ ରହିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ 4 ହଜାରରୁ ଅଧିକ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 64ରେ ପହଞ୍ଚିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କରୋନାରେ ପ୍ରାଣ ହରାଇଲେ ଡାକ୍ତର : ଅନ୍ତ୍ୟୋଷ୍ଟି କ୍ରିୟାରେ ଭିଡ ହିଂସା

ଚେନ୍ନାଇ : କରୋନା ସଂଙ୍କ୍ରମଣ ଦେଶରେ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିରନ୍ତର ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ଦେଶ ଅନେକ ସ୍ଥାନରେ ଡାକ୍ତରଙ୍କ ଉପରକୁ ପଥରମାଡ କରାଯାଇଥିବା ବେଳେ ଆଜି ଆଉ ଏକ ଅଭାବନୀୟ ଘଟଣା ଘଟିଛି । ମୃତ୍ୟୁ ପରେ ମଧ୍ୟ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ନେଇ ଭିଡ ହିଂସା ଦେଖିବାକୁ ମିଳିଛି । ଚେନ୍ନାଇର ଏହି ଡାକ୍ତର ଜଣକ କରୋନାରେ ପ୍ରାଣ ହରାଇବା ପରେ ଆମ୍ବୁଲାନ୍ସ ଜରିଆରେ ଅନ୍ତ୍ୟୋଷ୍ଟି କ୍ରିୟା ପାଇଁ ନିଆଯାଉଥିଲା । ମାତ୍ର 50ରୁ ଅଧିକ ଲୋକ ପହଞ୍ଚି ଆକ୍ରମଣ କରିଥିଲେ । ପରେ ପୋଲିସ୍‌ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲେ ମଧ୍ୟ ହିଂସା ପ୍ରଶମିତ ନହେବାରୁ ସହର ଠାରୁ ଦୂରରେ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଥିଲା । ଏହି ଘଟଣାକୁ ନେଇ ପୋଲିସ୍‌ ପକ୍ଷରୁ 20 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମହିଳା ଡାକ୍ତରଙ୍କୁ ଜମାତୀ ଆକ୍ରାନ୍ତଙ୍କ ଆକ୍ରମଣ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା ଡାକ୍ତର ଜଣକ ପୋଲିସ୍‌ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଏଲ୍‌ଏନ୍‌ଜିପି ହସ୍ପିଟାଲରେ ଏକାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏପରି ଆକ୍ରମଣକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିନ୍ଦା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା 5.20 ମିନିଟ୍‌ରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜୈନ୍‌ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ପୁଣି ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା।

ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହଜିଯାଉଛି ମାନବିକତା : ଫ୍ଲାଟ୍ ଖାଲି କରିବାକୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଧମକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି ସମୟରେ ଯିଏ ଯେଉଁଠି ରହିଛନ୍ତି, ସେଇଠି ସୁରକ୍ଷିତ ଭାବରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଠିକ୍‌ ଏତିକିବେଳେ ଭୁବନେଶ୍ୱରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଫ୍ଲାଟ୍ ଖାଲି କରିବା ପାଇଁ ଦୁଷ୍କର୍ମ ଧମକ ଦିଆଯାଇଛି । ବିଗତ କିଛି ବର୍ଷ ଧରି ମହିଳା ଡାକ୍ତର ଜଣକ ଖଣ୍ଡଗିରିରେ ଏକ ଫ୍ଲାଟ୍‌ରେ ରହୁଥିବା ବେଳେ ଫ୍ଲାଟ୍ ହାଉସିଂ ସୋସାଇଟିର ଜନୈକ ସଦସ୍ୟ ତାଙ୍କୁ ଘର ଖାଲି କରିବା ପାଇଁ ଧମକ ଦେଇଥିଲେ। ମାତ୍ର ଯୁବତୀ ଜଣକ ଫ୍ଲାଟ୍ ଖାଲି ନକରିବାରୁ ଉକ୍ତ ଯୁବକ ଜଣକ ଦୁଷ୍କର୍ମର ଧମକ ଦେଇଥିଲେ। ଏହାପରେ ଡାକ୍ତରାଣୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ପୋଲିସ୍ ଗିରଫ କରିଛି।

ଦେଶର ଏପରି ସଂକଟର ସ୍ଥିତି ସମୟରେ ଡାକ୍ତରମାନେ କରୋନା ସହ ଦୃଢତାର ସହ ଲଢେଇ କରୁଥିବାରୁ ତାଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ସମ୍ମାନ ଦେବା ପାଇଁ ନିବେଦନ କରିଥିଲେ ମଧ୍ୟ ସମାଜରେ ଡାକ୍ତରଙ୍କ ପ୍ରତି ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନାହିଁ । ଆଜି ମଧ୍ୟ ଓଡ଼ିଶା ହାଇକୋର୍ଟ ଡାକ୍ତରଙ୍କ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ବରର ଜଣେ ଡାକ୍ତରାଣୀଙ୍କୁ ଏପରି ବ୍ୟବହାର ସତରେ ନିନ୍ଦନୀୟ।  ତେବେ ଡାକ୍ତରାଣୀ ଜଣକ କରୋନା ପୀଡିତଙ୍କୁ ଚିକିତ୍ସା କରୁନଥିବାର ସ୍ପଷ୍ଟ କରିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଅସଦାଚରଣ କଲେ ଡାକ୍ତର

ମୁମ୍ବାଇ : ମହିଳା ଏବଂ ଶିଶୁଙ୍କ ପାଇଁ ଦେଶ ସୁରକ୍ଷିତ ନୁହେଁ । ଦ୍ବିତୀୟ ଭଗବାନ ଭାବରେ ପରିଚିତ ଡାକ୍ତର ମଧ୍ୟ ଏହି ଧାରାରୁ ବାଦ ପଡିନାହାନ୍ତି । ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଜଣେ 14 ବର୍ଷୀୟା ନାବାଳିକାକୁ ଡାକ୍ତର ଅସଦାଚରଣ ଉଦ୍ୟମ କରିଛନ୍ତି । ନିଜ ମାଙ୍କ ସହିତ ଡାକ୍ତରଙ୍କ ନିକଟକୁ ଆସିଥିବା ବେଳେ ଏହି କାଣ୍ଡ ଘଟିଛି । ମାଙ୍କ ଫୋନ୍‌ ଆସିବାରୁ କଥା ହେବା ପାଇଁ ବାହାରକୁ ଯାଇଥିବା ସମୟରେ ଡାକ୍ତର ଏହି କାଣ୍ଡ ଘଟାଇଥିଲେ । ଡାକ୍ତରଙ୍କ ନାମ ଖାଲିଦ୍‌ ବେଗ୍‌ (40) । ସ୍ବାସ୍ଥ୍ୟ ପରୀକ୍ଷା ବାହାନାରେ ଶିଶୁଟିକୁ ଅସଦାଚରଣ କରିବାକୁ ଚେଷ୍ଟା କରାଯାଇଥିଲା । ନାବାଳିକାଙ୍କ ମା ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୋକ୍ସୋ ଆଇନ୍‌ ଆଧାରରେ ପୋଲିସ୍‌ ଡାକ୍ତରଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳା ସହକର୍ମୀଙ୍କୁ ବେଙ୍ଗାଲୁରୁ ଡାକ୍ତରଙ୍କ ଦୁଷ୍କର୍ମ

ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଡାକ୍ତର ରହିଥିବା 25 ବର୍ଷୀୟ ଦୀପକ ରାଠୀ ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏହା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇ ମାମଲା ରୁଜୁ ନକରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯୁବତୀଙ୍କର ଏକ ବାଥ୍‌ରୁମ୍‌ର ଭିଡିଓ ଜରିଆରେ ବ୍ଲାକମେଲ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ହରିୟାଣାର ଦୀପକ ରାଠୀଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Categories
ଆଞ୍ଚଳିକ

ସମସ୍ୟାଘେରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତର ନାହାନ୍ତି,ସ୍ବାସ୍ଥ୍ୟସେବା ଠପ୍‌

ବାଣପୁର, ୨୩.୧୧:(ସମୀକ୍ଷା ବ୍ୟୁରୋ) ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ  ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।

ଡାକ୍ତରଖାନାରେ ରହିଥିବା ବିଭିନ୍ନ ସମସ୍ୟା :

ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି।

୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ ବିଭାଗ ଅଚଳ ହୋଇପଡିଛି।

ଏଠାରେ ୯ଟି ବିଭାଗର ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ଦୁଇଜଣ ଠିକା ଡାକ୍ତର ରହିଛନ୍ତି।

ଏଠାରେ କେବଳ ସ୍ତ୍ରୀରୋଗ ବିଶେଷଜ୍ଞରେ ଠିକା ଡାକ୍ତର ରୂପେ ଡ. ମହାରଣା ରହିଥିବାବେଳେ ଅନ୍ୟ ୮ଟି ବିଶେଷଜ୍ଞ ପଦବୀ ଖାଲି ରହିଛି।

ସେହିପରି ଏଠାରେ ୧୨ ଜଣ ଷ୍ଟାଫ ନର୍ସ ରହିଥିବାର ନିୟମ ଥିବାବେଳେ  ମାତ୍ର୨ ଜଣ ନର୍ସ ରହିଛନ୍ତି।

ସ୍ବଚ୍ଛତା ଓ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ପାଚେରୀ ଭଙ୍ଗାଯାଇଥିବା କାରଣରୁ ଅବାଧରେ ପଶୁ ଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯା’ଆସ କରୁଛନ୍ତି।

ପ୍ରତି ଓ୍ବାର୍ଡରେ ମଶା ମାଛିଙ୍କ ଉପଦ୍ରବ ହେଉଥିବାବେଳେ ଏହାର ମୁଖ୍ୟଫାଟକ ଅଧାଦିନ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯିବା ପାଇଁ ବୁଲି ବୁଲି ଯାଉଛନ୍ତି।

ଏଠାରେ ଷ୍ଟାଫ୍‌ ନର୍ସ ଓ ଡାକ୍ତରଙ୍କ ରୁମ୍‌ ନାହିଁ।

ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖିଥିବାବେଳେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ବାଣପୁର ବ୍ଲକ୍‌ର ୧୭ ପଞ୍ଚାୟତ, ଏନ୍‌ଏସିର ୧୫ଟି ଓ୍ବାର୍ଡ, ଜେଲର କଏଦୀ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ମୌଳିକ ସୁବିଧା ମିଳିପାରୁନଥିବାରୁ ସାଧାରଣ ରୋଗ ପାଇଁ ମଧ୍ୟ କଟକ ଓ ଭୁବନେଶ୍ବର ଯାଉଛନ୍ତି। ସେହିପରି ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ସଠିକ୍‌ ସମୟରେ ଉପଲବ୍ଧ ହେଉନାହିଁ।

ଏକମାତ୍ର ସ୍ଥାୟୀ ଡାକ୍ତର ଧୁର୍ଜଟି ପ୍ରସାଦ ମହାପାତ୍ର ଏହି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ବ ସମ୍ଭାଳୁଥିବାବେଳେ ତାଙ୍କ ଅଧୀନରେ ଅନେକ ଉପସ୍ଥାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ ଦାୟିତ୍ବ ରହିଛି। ତେଣୁ ସେ ସପ୍ତାହରେ ମାତ୍ର ଦୁଇଦିନ ଏଠାକୁ ଆସୁଛନ୍ତି।

ଆଗକୁ ବାଣପୁର ସବ୍‌ଡିଭିନଜନ୍‌ ମାନ୍ୟତା ପାଇବାକୁ ଥିବାବେଳେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଆନ୍ଦୋଳନ କରିବା ପାଇଁ ଇନ୍ଧନ ଯୋଗାଉଛି। କିଛି ଦିନ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ମାତ୍ର ଜୀବନରକ୍ଷାକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣଦେଖା କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆୟୁଷ ଡାକ୍ତର, ଟେକ୍‌ନିସିଆନ୍‌ ଆଦି ମିଳିବା ନେଇ ଦାବି ରହିଥିବାବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯିବା ଲାଗି ସରକାର ପଦେକ୍ଷପ ନେବା ନିତାନ୍ତ ଜରୁରୀ ହୋଇପଡିଛି।

Categories
ଆଜିର ଖବର

ପଞ୍ଚମ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ : ମମତାଙ୍କୁ ଡାକିଲେ ରାଜ୍ୟପାଳ

ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍‌ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ କହିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। ଏପରିକି ଦାବି ପୂରଣ ନ ହେଲେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ସୂଚନା ଦେଇଛନ୍ତି।  ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସେହିପରି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ହସ୍ତକ୍ଷେପ କରୁଥିବା ଜଣାପଡିଛି। ସେ ଏହି ବିଷୟକୁ ନେଇ ମମତାଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିବା ସୂଚନା ରହିଛି।

Categories
ଆଜିର ଖବର

ଆନ୍ଦୋଳନରତ ଡାକ୍ତରଙ୍କୁ ମମତାଙ୍କ ଚେତାବନୀ ପରେ ହଟିଲା ଆନ୍ଦୋଳନ

ପଶ୍ଚିମବଙ୍ଗ ମୁ୍ଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ ଚେତାବନୀ ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଡାକ୍ତର। ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଡାକ୍ତର ମାନେ ଧାରଣାରେ ବସିଥିଲେ ଯାହା ଫଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଘଟଣାରେ ହସ୍ତକ୍ଷେପ କରିଥିଲେ ମମତା। ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଥମେ ଏନ୍‌ଆରଏସ୍‌ ମେଡିକାଲ କଲେଜ୍‌ରେ ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ଏହା ସମ୍ପୂର୍ଣ୍ଣ ରାଜ୍ୟକୁ ବ୍ୟାପି ଯାଇଥିଲା।