ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର: ଅଭିଯୁକ୍ତ ଗିରଫ

Published: May 12, 2020, 2:34 pm IST

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତ ନଖପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଘଟଣା ସମ୍ପର୍କରେ ଦମକଳ ବାହିନୀକୁ ଖବର ଦିଆଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ସେତେବେଳକୁ ୪ ବଖରା ଘର ପାଉଁଶ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜମିବାଡି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ କରାଯାଇଛି। ନଖପଡା ଗ୍ରାମର ସାରଙ୍ଗ ଅମାନ୍ତ, ବୈକୁଣ୍ଠ ଅମାନ୍ତ ଏବଂ ବିରଞ୍ଚି ଅମାନ୍ତ ତିନି ସମ୍ପର୍କୀୟ ଭାଇ। ତେବେ ଜମିଜମା ବିବାଦ କାରଣରୁ ସାରଙ୍ଗ ଏବଂ ବୈକୁଣ୍ଠଙ୍କ ସହିତ ବିରଞ୍ଚି ଅମାନ୍ତଙ୍କ ଝଗଡା ଲାଗିଥିଲା। ବିରଞ୍ଚି ଉଭୟଙ୍କ ଘରେ କିରୋସିନି ଢାଳି ନିଆଁ ଲଗାଇ ଦେବାରୁ ୪ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିଲା। ଏହା ସହିତ ଝିଅ ବାହାଘର ପାଇଁ ସାରଙ୍ଗଙ୍କ ଘରେ ରହିଥିବା ୧ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇଥିବା ନେଇ ସାରଙ୍ଗଙ୍କ ପତ୍ନୀ ତିଳୋତ୍ତମା ପ୍ରକାଶ କରିଛନ୍ତି। ସାରଙ୍ଗ ଅମାନ୍ତ ଏବଂ ବୈକୁଣ୍ଠ ଅମାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ବିରଞ୍ଚିଙ୍କୁ ଗିରଫ କରିଛି। ଏଡି ଘଟଣା ପରେ ଗ୍ରାମର ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ୟାନ ଘଟଣା ସ୍ଥଳରେ ପହଞ୍ଚି ପୀଡିତ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ।

Related posts