ଅବୈଧ ସମ୍ପର୍କର ପରିଣାମ : ପ୍ରେମିକା ସହିତ 9 ଜଣଙ୍କୁ ହତ୍ୟା କଲା ଯୁବକ

Published: May 25, 2020, 10:19 pm IST

ହାଇଦ୍ରାବାଦ : ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ 9 ଜଣଙ୍କୁ ହତ୍ୟା କରିଛି ଜଣେ ଯୁବକ । ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏହି ଘଟଣା ଘଟିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବକୁ ଗିରଫ କରାଯାଇଛି ।

ଯୁବକ ଜଣଙ୍କ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ମହିଳା ଜଣଙ୍କ ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ଟ୍ରେନ୍‌ରୁ ଠେଲି ହତ୍ୟା କରିଥିଲେ ଯୁବକ । ଏହାପରେ ଏହି ହତ୍ୟାକୁ ଲୁଚାଇବାକୁ ଯାଇ ଆହୁରି 9 ଜଣଙ୍କୁ ହତ୍ୟା କରିଥିଲେ । ପଶ୍ଚିମବଙ୍ଗର ମକ୍‌ସୁଦ୍‌ ନିଜ ପରିବାର ସହିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମକ୍‌ସୁଦ୍‌ଙ୍କ ଝିଆରୀ ରଫିକା ସହିତ ସଞ୍ଜୟର ପ୍ରେମ ସମ୍ପର୍କ ଥିଲା । ଉଭୟ ଲିଭ୍‌ଇନ୍‌ରେ ରହିଥିବା ବେଳେ ରଫିକା ବିବାହ ପାଇଁ ଚାପ ପକାଉଥିଲା । ଏହାପରେ ପଶ୍ଚିମବଙ୍ଗ ନେବା ରାସ୍ତାରେ ରଫିକାକୁ ହତ୍ୟା କରି ଟ୍ରେନ୍‌ରୁ ଫୋପାଡି ଦେଇଥିଲା ସଞ୍ଜୟ । ଏହାକୁ ଲୁଚାଇବା ପାଇଁ ମକ୍‌ସୁଦ୍‌ଙ୍କ ପୁରା ପରିବାରକୁ ହତ୍ୟା କରିଥିଲା ସଞ୍ଜୟ । ସମସ୍ତଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇବା ପରେ ହତ୍ୟା କରି ଏକ କୂଅ ମଧ୍ୟରେ ଫୋପାଡିଥିଲା ସଞ୍ଜୟ ।

ଏହା ସହିତ ନିଜର ଚାରି ସହକର୍ମୀଙ୍କୁ ହତ୍ୟା କରିଥିଲା ସଞ୍ଜୟ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସୋହେଲ୍‌, ନିଜ ଗ୍ରାମର ଦୁଇ ଯୁବକ ଶ୍ରୀରାମ କୁମାର ଶାହ ଏବଂ ଶ୍ୟାମ କୁମାର ଶାହ ଏବଂ ତ୍ରିପୁରାର ମହମ୍ମଦ ସକୀଲକୁ ହତ୍ୟା କରିଥିଲା । ସମସ୍ତଙ୍କୁ ହତ୍ୟା କରି ଫେରାର ଥିବା ବେଳେ ସିସିଟିଭି ଆଧାରରେ ପୋଲିସ୍‌ ସଞ୍ଜୟକୁ ଗିରଫ କରିଥିଲା । (ଏଜେନ୍ସି)

Related posts