ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ସର୍ତ୍ତମୂଳକ ଜାମିନ, ଜେଲରେ ରହିଲେ 3 ଦିନ

Published: Jul 13, 2020, 7:25 pm IST

ଭୁବନେଶ୍ୱର: ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଜାମିନ ମିଳିଛି। ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସେ ଗତ ଜୁଲାଇ ୧୦ ତାରିଖରେ ଗିରଫ ହୋଇଥିଲେ । ପୋଲିସ୍‌ ତାଙ୍କ ବିରୋଧରେ ଲଗାଇଥିବା ମାମଲାରେ ତାଙ୍କୁ ଜାମିନ୍‌ ନ ମିଳିବାରୁ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ୩ ଦିନ ଜେଲରେ ରହିବା ପରେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି | ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ଆଦି ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।

ସୂଚନାଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ନିଜ କ୍ଷମତାର ଅପବ୍ୟବହାର କରି ଜାତୀୟ ଆୟୁଷ ମିସନ୍‌ର ଜଣେ ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା। ଯୁବତୀଜଣଙ୍କ ସମସ୍ତ ତଥ୍ୟ ପ୍ରମାଣ ସହ ଏ ସଂପର୍କ‌ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଅଭିଯୁକ୍ତ ଶ୍ରୀ ଷଡ଼ଙ୍ଗୀ ଫେରାର୍‌ ହୋଇଯାଇଥିଲେ। ପୁଲିସ ନ’ ତାଲାରେ ଥିବା ଆୟୁଷ ମିସନ୍‌ ଅଫିସ୍‌, ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ତାଙ୍କ ଘରେ ଚଢ଼ଉ କରିଥିଲେ ହେଁ ତାଙ୍କୁ ପାଇନଥିଲେ। ଶେଷରେ ପୁଲିସ ଆୟୁଷ ମିସନ ସହ ତାଙ୍କ ଘରକୁ ନୋଟିସ୍‌ ପଠାଇଥିଲା।

କମିସନରେଟ୍‌ ପୁଲିସ ସମ୍ମୁଖରେ ଜୁଲାଇ ୧୦ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବାକୁ ସେଥି‌ରେ ନିର୍ଦ୍ଦେଶ ରହିଥିଲା। ନଚେତ୍‌ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ନୋଟିସ ଦିଆଯାଇଥିଲା। ହେଲେ ଏହାର ଅବଧି ଶେଷ ହେବା ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ମହିଳା ଥାନାରେ ହାଜର ହୋଇଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା ।

Related posts